ଆର୍‌ଜିଏଚ୍‌ରେ ଷ୍ଟ୍ରେଚର, ହୁଇଲ ଚେୟାର ଅଭାବ

ରାଉରକେଲା ଅଫିସ, ୨।୨: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସହରର ଏକ ପ୍ରମୁଖ ହସ୍‌ପିଟାଲ ହୋଇଥିବାବେଳେ ଏଠାରେ ଦେଖାଦେଇଛି ଅବ୍ୟବସ୍ଥା। ଏହି ଡାକ୍ତରଖାନାରେ ପୋଡ଼ାଜଳା କକ୍ଷ, ଅସ୍ଥି, ମାତୃଶିଶୁ, ଅନ୍ତଃବିଭାଗ, ସର୍ଜରୀ ବିଭାଗ ନିକଟରେ କୌଣସି ରୋଗୀଙ୍କ ପାଇଁ ଷ୍ଟ୍ରେଚର ବା ହୁଇଲ ଚେୟାର ବ୍ୟବସ୍ଥା କରାଯାଇ ନାହିଁ। ଡାକ୍ତରଖାନାର ବର୍ହି ବିଭାଗ ସମ୍ମୁଖରେ ମାତ୍ର ୨ଟା ଷ୍ଟ୍ରେଚର ଓ ୨ଟି ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି। ସେହିଭଳି ଅନ୍ତଃବିଭାଗ ସମ୍ମୁଖରେ କୌଣସି ହୁଇଲ ଚେୟାର ଓ ଷ୍ଟ୍ରେଚର ବ୍ୟବସ୍ଥା କରାଯାଇ ନାହିଁ। ମାତୃଶିଶୁ ବିଭାଗରେ ବେଡ଼ ସଂଖ୍ୟା ୫୦ରୁ ଅଧିକ ଥିବାବେଳେ ୩ଟା ହୁଇଲ୍‌ ଚେୟାର ଓ ଗୋଟିଏ ଷ୍ଟ୍ରେଚର ବ୍ୟବସ୍ଥା କରାଯାଇଛି। ଫଳରେ ଜରୁରୀକାଳିନ ପରିସ୍ଥିତିରେ ଯଦି କୌଣସି ଗର୍ଭବତୀ ଡାକ୍ତରଖାନାକୁ ଆସେ ତେବେ ୧୦୮ ଆମ୍ବୁଲାନ୍ସର ଷ୍ଟ୍ରେଚର ସାହା ଭରସା ହେଉଥିବା ମାଲଗୋଦାମ ଅଞ୍ଚଳର ସୁନିତା ଲାକ୍ରା କହିଛନ୍ତି। ଅନ୍ୟପକ୍ଷେ ଆର୍‌ଜିଏଚ୍‌ରେ ଆଉଟ୍‌ଡୋର ସ୍ଥିତ ଷ୍ଟୋରପାଖରେ ଅନେକ ହୁଇଲ୍‌ ଚେୟାର ଓ ଷ୍ଟ୍ରେଚର ଦୀର୍ଘ ଦିନଧରି ପଡ଼ିରହି ଖତ ଖାଉଛି। ସେଗୁଡ଼ିକୁ ମରାମତି କରାଯାଉ ନାହିଁ। ଏହି ଡାକ୍ତରଖାନାର ଶଯ୍ୟା ବଢି ବର୍ତ୍ତମାନ ୪୦୦ ଶଯ୍ୟା ବିଶିଷ୍ଟ ରହିଛି। ବର୍ତ୍ତମାନ ଉକ୍ତ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ବଢ଼ିଥିବାବେଳେ ହୁଇଲ ଚେୟାର ବ୍ୟବସ୍ଥା ଓ ଷ୍ଟ୍ରେଚର ବ୍ୟବସ୍ଥାକୁ ଡାକ୍ତରଖାନା କର୍ତ୍ତୃପକ୍ଷ କୌଣସି ଗୁରୁତ୍ୱ ଦେଇ ନାହାନ୍ତି। ଏତେ ସଂଖ୍ୟକ ରୋଗୀଙ୍କ ପାଇଁ ଡାକ୍ତରଖାନାରେ କେବଳ ୧୧ଟି ହୁଇଲ ଚେୟାର ଥିବାବେଳେ ଷ୍ଟେଚର ଅଛି ମାତ୍ର ୬ଟି। ଏନେଇ ବିରଜାପାଲି ଅଞ୍ଚଳରୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଶିବ କୁମାର କହନ୍ତି, ଏହି ଡାକ୍ତରଖାନାକୁ ମୋ ବାପାଙ୍କୁ ଶ୍ୱାସ ରୋଗ ହୋଇଥିବାରୁ ଚିକିତ୍ସା ପାଇଁ ଆଣିଥିଲି। କିନ୍ତୁ ମୋ ବାପା ବୃଦ୍ଧ ହୋଇଯାଇଥିବାରୁ ତାଙ୍କୁ ହ୍ଯଯଇଲ ଚେୟାରରେ ନେବା ସମ୍ଭବ ହୋଇ ନ ଥିଲା। ସେହିଭଳି ଶାନ୍ତିଲତା ବାଘାର କିରୋସିନ୍‌ ନିଆଁରେ ପୋଡ଼ି ହୋଇ ଆସିଥିବାବେଳେ ତାଙ୍କୁ ଏକ ଭଙ୍ଗା ଷ୍ଟ୍ରେଚରରେ ଡାକ୍ତରଙ୍କ ପାଖକୁ ଚିକିତ୍ସା ନିମନ୍ତେ ନିଆଯାଇଥିବା କହିଥିଲେ। ଏନେଇ ରାଉରକେଲା ସରକାରୀ ଡାକ୍ତରଖାନା ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ଷ୍ଟ୍ରେଚର ଓ ହୁଇଲ ଚେୟାର ସମସ୍ୟାକୁ ନେଇ ମୋ ପାଖକୁ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୋଗ ଆସିନାହିଁ। ଡାକ୍ତରଖାନାରେ ଏହାର ଅଭାବ ଥିବାବେଳେ ଏନେଇ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଛି। ଡାକ୍ତରଖାନା ଅତିରିକ୍ତ ନିର୍ଦ୍ଦେଶକ ପଣ୍ଡିତ କୁମାର ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ତୁଳନାରେ ହୁଇଲ ଚେୟାର ଓ ଷ୍ଟେଚର ଆବଶ୍ୟକତା ଜରୁରୀ ରହିଛି। ଜରୁରୀ କାଳିନ ପରିସ୍ଥିତିରେ ଆସୁଥିବା ରୋଗୀ ଓ ପ୍ରମୁଖ ୱାର୍ଡ଼ ଗୁଡ଼ିକରେ ଏହି ସେବା ଯୋଗାଇ ଦେବାକୁ ଉଦ୍ୟମ ଜାରି ରଖୁଛୁ।