ଟାର୍ଗେଟ ଅଭାବ, ଉଠୁନି ଧାନ

ଜୁନାଗଡ, ୩୦।୧୨ (ଡି.ଏନ.ଏ.): ଚାଷୀଙ୍କୁ ଟୋକନ ମିଳିଛି। ଧାନ ମଧ୍ୟ ଆଣି ମଣ୍ଡିରେ ରଖିଛନ୍ତି। ହେଲେ ଟାର୍ଗେଟ ଅଭାବରୁ ଧାନ ଉଠାଣ ହେଉ ନ ଥିବାରୁ ଗତ ୧୦ ଦିନ ହେଲା ହାଡଭାଙ୍ଗା ଶୀତ କାକରରେ ମଣ୍ଡିରେ ପଡି ରହିଛନ୍ତି ଚାଷୀ। କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଚୈଗୁଡା ପ୍ୟାକ୍ସ ଅନ୍ତର୍ଗତ ନୂଆଗୁଡା ମଣ୍ଡିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ, ଗତ ୧୯ଠୁ ୨୩ ତାରିଖ ପର୍ଯ୍ୟନ୍ତ ନୂଆଗୁଡା ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ୪୦ ଜଣ ଚାଷୀ ଟୋକନ ପାଇଥିଲେ। ଇତିମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ସେମାନେ ଧାନ ବିକ୍ରି କରିପାରିନାହାନ୍ତି। ଟାର୍ଗେଟ ଅଭାବରୁ ମିଲର୍ସ ଧାନ ଉଠାଣ କରୁ ନ ଥିବାରୁ ଚାଷୀ ଧାନ ବିକ୍ରି ଆଶାରେ ଗତ ୧୦ ଦିନ ହେଲା ହାଡ ଭଙ୍ଗା ଶୀତ କାକରରେ ମଣ୍ଡିରେ ପଡି ରହିଛନ୍ତି। ଏଥିପ୍ରତି ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବାରୁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଏହି ମଣ୍ଡିରେ ୫୧ଜଣ ଚାଷୀ ୨୯୪୦ କୁଇଣ୍ଟାଲ ଧାନ ବିକ୍ରି କରିଥିବା ଜଣାପଡିଛି। ସେହିପରି ୧୯ ରୁ ୨୩ ତାରିଖ ମଧ୍ୟରେ ପ୍ରାୟ ୪୦ଜଣ ଚାଷୀଙ୍କ ୨୫ଶହ କୁଇଣ୍ଟାଲ ଧାନ ମଣ୍ଡିରେ ବିକ୍ରି ନ ହୋଇ ପଡିରହିଛି। ଏହି ମଣ୍ଡିରେ ଧାନ ଉଠାଣ କରିବା ପାଇଁ ସନ୍ୟାସୀ କୁଣ୍ଡାମାଲସ୍ଥିତ ଗଣପତି ରାଇସ୍‌ ମିଲ ଓ କେସିଙ୍ଗାର ସିଦ୍ଦାର୍ଥ ରାଇସ ମିଲକୁ ନିୟୋଜିତ କରାଯାଇଛି। ଶୀଘ୍ର ଏହି ମଣ୍ଡିରେ ଟାର୍ଗେଟ ବଢାଇବା ପାଇଁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି। ଏ ନେଇ ଚିଚୈଗୁଡା ପ୍ୟାକ୍ସ ଧାନ କ୍ରୟ ଅଧିକାରୀ ବସନ୍ତ ମେହେରଙ୍କୁ ପଚାରିବାରୁ ଟାର୍ଗେଟ ନ ଥିବାରୁ ଏପରି ଅସୁବିଧା ଦେଖାଦେଇଛି। ସେହିପରି ବ୍ଲକ ଯୋଗାଣ ନିରୀକ୍ଷକ ଦେବଧର ଧରୁଆଙ୍କୁ ପଚାରିବାରୁ ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଥିଲେ।