କଟକ ଅଫିସ,୨୬ା୮: କରୋନାକୁ ନିୟନ୍ତ୍ରଣରେ ଆଣିବା ଲାଗି ରାଜ୍ୟ ସରକାର ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏହା କେବଳ କଥାରେ ସୀମିତ ବୋଲି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ମଙ୍ଗଳବାର ଘଟିଥିବା ଘଟଣାରୁ ଜଣାପଡୁଛି। ଟେଷ୍ଟିଂ କିଟ୍ ନ ଥିବାରୁ ଦୂର ଦୂରାନ୍ତରୁ ଆସିଥିବା ୪୦ ଜଣ ରୋଗୀ ଚିକିତ୍ସା ନ ପାଇ ନିରାଶ ହୋଇ ଫେରିଛନ୍ତି।
ସୂଚନା ମୁତାବକ, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନର ଆଉଟଡୋର୍କୁ ମଙ୍ଗଳବାର ୧୦୦ ଜଣ ରୋଗୀ ଚିକିତ୍ସା ପାଇଁ ଆସିଥିଲେ। ସେମାନଙ୍କ ଚିକିତ୍ସା କରିବା ପୂର୍ବରୁ ସବୁ ରୋଗୀଙ୍କ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ ଥିଲା। ଏଥିପାଇଁ ଦିନ ସାରା ସମସ୍ତ ରୋଗୀ ଅପେକ୍ଷା କରି ରହିଥିଲେ। କିନ୍ତୁ ୬୦ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବା ପରେ ଟେଷ୍ଟିଂ କିଟ୍ ସରିଯାଇଥିବା ଜଣାପଡ଼ିଲା। ଫଳରେ ଅନ୍ୟ ୪୦ ଜଣ ରୋଗୀଙ୍କ କୋଭିଡ୍ ଟେଷ୍ଟ ହୋଇ ନ ପାରିବାରୁ ସେମାନଙ୍କୁ ଚିକିତ୍ସା କରାଯାଇ ପାରି ନ ଥିଲା। ସ୍ବାଭାବିକ ଗାଡ଼ି ଚଳାଚଳ ନ ଥିବାବେଳେ ଏହି ରୋଗୀମାନେ ଦୂର ଦୂରାନ୍ତରୁ ନିଜସ୍ବ ବ୍ୟବସ୍ଥାରେ ବଡ଼ କଷ୍ଟରେ ଆସିଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। କିଟ୍ ଅଭାବ ଘଟଣାକୁ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ସ୍ବୀକାର କରି କହିଛନ୍ତି ଯେ, ସେମାନଙ୍କୁ ଏସ୍ସିବିର ଭିଆର୍ଡିଏଲ୍ ପକ୍ଷରୁ ଯଥେଷ୍ଟ ପରିମାଣରେ କିଟ୍ ଯୋଗାଇ ଦିଅଯାଉନାହିଁ। ଆଉଟଡୋର ନୂଆ ରୋଗୀ, କେମୋ ଥେରାପି, ରେଡିଓ ଥେରାପି ପାଇଁ ଏଠାକୁ ଆସୁଥିବା ରୋଗୀଙ୍କ ପାଇଁ ଦୈନିକ ୧୫୦ରୁ ଅଧିକ କିଟ୍ର ଆବଶ୍ୟକତା ରହିଛି। କିନ୍ତୁ ଯେତିକି ମିଳୁଛି, ତାହା ଯଥେଷ୍ଟ ହେଉନାହିଁ। ତେଣୁ ଏଭଳି ପରିସ୍ଥିତି ସାମ୍ନା କରିବାକୁ ପଡୁଛି। ଏନେଇ ସମ୍ପୃକ୍ତ ବିଭାଗକୁ ଜଣାଇ ଦିଆଯାଇଛି।