ରାଜ୍ୟରେ ପୁଣି ଟିକା ଅଭାବ

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜ୍ୟରେ ପୁଣି ଟିକା ଅଭାବ ଦେଖାଦେଲାଣି। ଟିକା କମ୍‌ ଥିବାରୁ ଆଗକୁ ଟିକାକରଣରେ ମଧ୍ୟ ବାଧା ସୃଷ୍ଟି ହେବାର ଆଶଙ୍କା ଉପୁଜିଲାଣି। ତେଣୁ ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ତୁରନ୍ତ ଅଧିକ ଟିକା ଯୋଗାଇବାକୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି।
ଗତ ୨୧ ଜୁନ୍‌ରୁ ରାଜ୍ୟରେ ହାରାହାରି ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ବର୍ତ୍ତମାନ ରାଜ୍ୟରେ ଦୈନିକ ସାଢ଼େ ୩ଲକ୍ଷ ଲୋକଙ୍କୁ ଟିକା ଦିଆଯିବାର କ୍ଷମତା ରହିଛି। ଜୁନ୍‌ ଦ୍ୱିତୀୟାର୍ଦ୍ଧ ସୁଦ୍ଧା ରାଜ୍ୟକୁ ମୋଟ୍‌ ୧୩,୭୮,୩୧୦ ଡୋଜ୍‌ କୋଭିଶିଲ୍ଡ ଟିକା ମିଳିଛି, ଯାହାକୁ ସବୁ ଜିଲାକୁ ବଣ୍ଟନ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ୩ ଲକ୍ଷ ୩୮ ହଜାର ଡୋଜ୍‌ କୋଭିଶିଲ୍ଡ ମହଜୁଦ ରହିଛି। ଏହା ମାତ୍ର ଦୁଇଦିନ ଯିବ। ମଙ୍ଗଳବାର ପରଠାରୁ ରାଜ୍ୟରେ କୋଭିଶିଲ୍ଡ ଟିକାର ଅଭାବ ରହିବ। ଫଳରେ କୌଣସି ସ୍ଥାନରେ ଟିକାଦାନ ସମ୍ଭବ ହେବ ନାହିଁ। ରାଜ୍ୟରେ ଟିକାକରଣ ସମ୍ପର୍କରେ ବ୍ୟାପକ ଜନ ସଚେତନତା ଯୋଗୁ ବହୁ ଲୋକ ସ୍ବତଃପ୍ରବୃତ୍ତ ଭାବେ ଟିକା ନେବା ପାଇଁ ଆଗେଇ ଆସୁଛନ୍ତି ଏବଂ ଏଥିପାଇଁ ଟିକାର ଚାହିଦା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ଟିକାକରଣରେ ଯେପରି ବାଧା ସୃଷ୍ଟି ନ ହେଉ ସେଥିପାଇଁ ତୁରନ୍ତ ଟିକା ଯୋଗାଇବା ପାଇଁ ମନ୍ତ୍ରୀ ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଟିକା ଆସିଲେ ରାଜ୍ୟରେ ଜୁନ୍‌ର ନିର୍ଦ୍ଧାରିତ ସମୟ ଓ ସୂଚୀ ଅନୁଯାୟୀ ଟିକାଦାନ ସମ୍ଭବ ହୋଇପାରିବ। ଟିକା ଯୋଗାଣ ବ୍ୟବସ୍ଥା ଆଗୁଆ କରା ନ ଗଲେ ରାଜ୍ୟରେ ଟିକାର ଅଭାବ ପରିଲକ୍ଷିତ ହେବ ଓ ଟିକାଦାନ ବାଧାପ୍ରାପ୍ତ ହେବ। ଏହିସବୁ ଅସୁବିଧାକୁ ଦୂର କରି ହିତାଧିକାରୀଙ୍କୁ ଧାର୍ଯ୍ୟ ସମୟରେ ଟିକା ଦେବା ପାଇଁ ଯୋଜନା କରିବାରେ କେନ୍ଦ୍ର ସହାୟକ ହେବା ଉଚିତ ବୋଲି ମନ୍ତ୍ରୀ ଦାସ ଚିଠିରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଗତ ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିବାବେଳେ କୋଭିଶିଲ୍ପ ଓ କୋଭାକ୍ସିନ ଟିକା ଦିଆଯାଉଛି। ଏଯାଏ ୧,୧୭,୧୭,୭୧୯ ଡୋଜ୍‌ ଟିକାକରଣ ହୋଇଛି।

Share