ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁଙ୍କୁ ପୁରସ୍କାର: ଭାଜପା ଏମ୍‌ପି ଦେଲେ ଅଢ଼େଇ ଲକ୍ଷ

ନୂଆଦିଲ୍ଲୀ,୩୧।୧୦: ସୋସିଆଲ୍‌ ମିଡ଼ିଆରେ ଜଣେ ଶିଶୁର ଭିଡ଼ିଓ ଚଳିତ ମାସରେ ଭାଇରାଲ ହେବାରେ ଲାଗିଥିଲା। ଶିଶୁ ଜଣକ ଲଦାଖର ଚୁଶୁଲ୍‌ଠାରେ ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍‌ କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ନାମଗୟାଲ ନାମକ ଶିଶୁ ରାସ୍ତାକଡ଼ରେ ଠିଆ ହୋଇ ବାଟ ଦେଇ ଯାଉଥିବା ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍‌ କରୁଥିବାର ଦୃଶ୍ୟ ଭିଡ଼ିଓରେ ରହିଛି। ଏହି ଭିଡ଼ିଓ ଭାଇରାଲ ହେବା ପରେ ଭାଜପା ଏମ୍‌ପି ରାଜୀବ ଚନ୍ଦ୍ରଶେଖର ନାମଗୟାଲଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଦେଇ ପୁରସ୍କୃତ କରିଛନ୍ତି।  ଟଙ୍କା ତାଙ୍କ ମାତାପିତାଙ୍କ ପାଖକୁ ପଠାଇ ଦିଆଯାଇଥିବା ରାଜୀବ କହିଛନ୍ତି। ୨୧ ସେକେଣ୍ଡର ଏହି ଭିଡ଼ିଓକୁ ଆଇଟିବିପି ଯବାନଙ୍କ ପକ୍ଷରୁ ଅକ୍ଟୋବର ୮ ସକାଳେ ରେକର୍ଡିଂ କରାଯାଇଥିଲା। ପରେ ଏହାକୁ ଟୁଇଟରରେ ଅକ୍ଟୋବର ୧୧ରେ ଆଇଟିବିପି ହ୍ୟାଣ୍ଡେଲରୁ ଅପଲୋଡ୍‌ କରାଯାଇଥିଲା। ଇତିମଧ୍ୟରେ  ଭିଡ଼ିଓକୁ ଲକ୍ଷେ ୧୦ ହଜାରରୁ ଅଧିକ ଥର ଦେଖା ସରିଥିବାବେଳେ ୧୪ ହଜାର ୬୦୦ରୁ ଅଧିକ ଲାଇକ୍‌ ମିଳିଛି। ଲଗାତାର ୟୁଜର ଏହି ଭିଡ଼ିଓକୁ ରିଟୁଇଟ୍‌ କରିବା ଜାରି ରଖିଛନ୍ତି। ନାମଗୟାଲ ସାବଧାନ ପୋଜିଶନ୍‌କୁ ଆସି ସାଲ୍ୟୁଟ କରିବା ସହିତ ପୁଣି ବିଶ୍ରାମ୍‌ ପୋଜିଶନ୍‌କୁ ଯାଉଥିବାରୁ ସୁନ୍ଦର ଦୃଶ୍ୟ ଭିଡ଼ିଓରେ ରହିଛି। ଦେଶର ସୁରକ୍ଷାରେ ନିୟୋଜିତ ରହିଥିବା ଯବାନଙ୍କ ପ୍ରତି ଛୋଟ ପିଲାଟିର ଏଭଳି ସମ୍ମାନ ବହୁ ୟୁଜରଙ୍କୁ ଭାବୁକ କରିବାରେ ଲାଗିଛି। ନାମଗୟାଲଙ୍କ ଏଭଳି ମନୋଭାବ ରାଜୀବଙ୍କୁ ବେଶ୍‌ ଆକର୍ଷିତ କରିଥିଲା। ଏହାପରେ ସେ ନାମଗୟାଲଙ୍କୁ ପୁରସ୍କୃତ କରିବା ଲାଗି ନିଷ୍ପତ୍ତି ନେଇଥିଲେ।

Share