Categories: ଜାତୀୟ

ଦୁର୍ନୀତି ଅଭିଯୋଗରେ ‘ଲେଡି ସିଙ୍ଘମ୍‌’ ଗିରଫ

ଗୁଆହାଟୀ,୬।୬: ଦୁର୍ନୀତି ଅଭିଯୋଗରେ ଆସାମ ପୋଲିସ ଅଫିସର ଜୁନମୋନି ରାଭାଙ୍କୁ ଗିରଫ କରାଯାଇଛି। ଗତ ମାସରେ ଜୁନମୋନି ତାଙ୍କ ଭାବିସ୍ବାମୀଙ୍କୁ ଗିରଫ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ତାଙ୍କୁ ‘ଲେଡି ସଙ୍ଘମ’ ଆଖ୍ୟା ଦିଆଯାଇଥିଲା। ଭାବିସ୍ବାମୀଙ୍କ ସହ ଠକେଇ କାରବାରରେ ମହିଳା ପୋଲିସ ଅଫିସର ଲିପ୍ତ ଥିବା ତଦନ୍ତରୁ ଜଣାପଡ଼ିଛି। ଯାଞ୍ଚ ଅଧିକାରୀଙ୍କ ଦ୍ୱାରା ଲଗାତର ଦୁଇଦିନର ପଚରା ଉଚରା କରାଯାଇଥିଲା। ଗିରଫ ପରେ ଜୁନମୋନିଙ୍କୁ ମାଜୁଲି ଜିଲା କୋର୍ଟରେ ହାଜର କରାଯାଇଥିବାବେଳେ ସେଠାରୁ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତ୍‌କୁ ପଠାଇ ଦିଆଯାଇଛି। ନାଗାଓ ଜିଲା କାଲିଆବୋର ପୋଲିସ ଷ୍ଟେଶନ୍‌ରେ ସେ ସବ୍‌ ଇନ୍‌ସ୍ପେକ୍ଟର ଭାବେ କାର୍ଯ୍ୟ କରୁଥିଲେ।

ଲୋକଙ୍କୁ ଚାକିରି ଦେବା କହି ଜୁନମୋନିଙ୍କ ଭାବିସ୍ବାମୀ ସେମାନଙ୍କଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗ ହେବା ପରେ ରାଣା ପୋଗାଗଙ୍କୁ ଗିରଫ କରାଯାଇଥିଲା। ମାମଲାର ତଦନ୍ତ ଜାରିଥିବାବେଳେ ଦୁଇଜଣ କଣ୍ଟ୍ରାକ୍ଟର ଜୁନମୋନି ରାଣାଙ୍କ ସହ ଟଙ୍କା ନେଣଦେଣ କାରବାରରେ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ। ରାଣା ଜୁନମୋନିଙ୍କ ଆଢ଼ୁଆଳରେ ରହି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ତଦନ୍ତକାରୀ ଅଫିସର କହିଛନ୍ତି।

 

Share