Categories: ଖେଳ

ଲାଫେ ଜିତିଲେ ଦ୍ୱିତୀୟ ଷ୍ଟେଜ୍‌

ବିଲ୍‌ବାଓ (ସ୍ପେନ), ୩ା୭ (ଏପି): ଫ୍ରାନ୍ସର ଭିକ୍ଟର ଲାଫେ ଚଳିତ ଟୁର ଡି’ ଫ୍ରାନ୍ସର ଦ୍ୱିତୀୟ ଷ୍ଟେଜ୍‌ ଜିତିଛନ୍ତି ।
୨୦୮.୯ କିଲୋମିଟର ଦୂରତା ବିଶିଷ୍ଟ ଏହି ରେସ୍‌ରେ ବେଲଜିୟମର ଓଟ୍‌ ଭାନ୍‌ ଆର୍ଟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଟାଡେଜ ପୋଗାକାର ତୃତୀୟ ଏବଂ ବ୍ରିଟେନର ଟମ୍‌ ପିଡ୍‌କକ୍‌ ଚତୁର୍ଥ ହୋଇଛନ୍ତି। ପୂର୍ବଦିନର ଲିଡର ଆଡାମ ୟେଟ୍ସ ଓଭରାଲ ଲିଡର ଭାବେ ୟେଲୋ ଜର୍ସି ବଜାୟ ରଖିଛନ୍ତି। ଷ୍ଟେଜ୍‌-୩ ସୋମବାର ଅନୁଷ୍ଠିତ ହେବ।
ବାସକ୍‌ କଣ୍ଟ୍ରିରେ ଏକ ଫ୍ୟାମିଲି ସେଲିବ୍ରେଶନ ସହ ବିଶ୍ୱର ସବୁଠାରୁ ବଡ଼ ସାଇକ୍ଲିଂ ପ୍ରତିଯୋଗିତା ଟୁର୍‌ ଡି’ ଫ୍ରାନ୍ସ ଶନିବାରଠାରୁ ଆରମ୍ଭ ହୋଇଛି। ଆଡାମ ୟେଟ୍ସ ତାଙ୍କ ଯାଆଁଳା ଭାଇ ସିମନ ୟେଟ୍ସଙ୍କୁ ପଛରେ ପକାଇ ପ୍ରଥମ ଷ୍ଟେଜରେ ବିଜୟ ଲାଭ କରିଥିଲେ। ରେସ୍‌ ଫେଭରାଇଟ୍‌ ଟାଡେଜ ପୋଗାକାର ଓ ଜୋନାସ ଭିଙ୍ଗେଗାର୍ଡ ସେମାନଙ୍କଠାରୁ କିନ୍ତୁ ବେଶି ଦୂରରେ ନ ଥିଲେ। ସ୍ପେନ ଉତ୍ତରାଞ୍ଚଳରେ ଅବସ୍ଥିତ ବାସକ୍‌ କଣ୍ଟ୍ରିରେ ଆରମ୍ଭ ଏହି ରେସ୍‌ ୩ ସପ୍ତାହ ଧରି ଚାଲିବ। ଏଥିରେ ପ୍ରାାରମ୍ଭିକ ୟଲୋ ଜର୍ସି ହାସଲ କରିଥିଲେ। ଆଡାମ ଓ ସିମନ ଦୁଇଟି ଅଲଗା ଅଲଗା ଟିମ୍‌ ଯଥାକ୍ରମେ ୟୁଏଇ ଟିମ୍‌ ଏମିରେଟ୍ସ ଓ ଜେକୋ-ଅଲ୍‌ଉଲା ଟିମ୍‌ରୁ ପ୍ରତିନିଧିତ୍ୱ କରୁଛନ୍ତି। ଆଡାମ ୟେଟ୍ସ ଏପର୍ଯ୍ୟନ୍ତ ଏକ ଗ୍ରାଣ୍ଡ ଟୁର୍‌ ରେସ୍‌ ଜିତି ନାହାନ୍ତି, କିନ୍ତୁ ସେ ୨୦୨୦ ଟୁର୍‌ ଡି’ ଫ୍ରାନ୍ସ ବେଳେ ସେ ଲିଡର୍ସ ୟେଲୋ ଜର୍ସି ହାସଲ କରିଥିଲେ। ଅନ୍ୟପକ୍ଷରେ ସିମନ ୟେଟ୍ସ ୨୦୧୮ ସ୍ପାନିଶ ଭୁଏଲ୍‌ଟା ରେସ୍‌ ଜିତିଥିଲେ।

Share