ସମ୍ବଲପୁର,୧୨।୮(ବ୍ୟୁରୋ)-ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ବୁଧବାର ଲଗ୍ନ ଧାର୍ଯ୍ୟ ହୋଇଛି । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ତୁଳା ଲଗ୍ନରେ ଚଳିତ ମାସ ୨୩ ତାରିଖ ଇଷ୍ଟଦେବୀ ସମଲେଶ୍ୱରୀଙ୍କ ପାଖରେ ପୂର୍ବାହ୍ନ ୯ଟା ୩୫ ମିନିଟରୁ ୯ଟା ୫୦ ମିନିଟ ମଧ୍ୟେ ନବାନ୍ନ ଭୋଗ ଲାଗି କରିବାକୁ ସ୍ଥିର ହୋଇଛି । ପରମ୍ପରାନୁସାରେ ଝାଡୁଆପଡା ବଡଦୁଆର ଆରଣ୍ୟକ ମଞ୍ଚଠାରେ ବୁଧବାର ଗୋଧୂଳି ଲଗ୍ନରେ ବିଭିନ୍ନ ଅଞ୍ଚଳର ପଣ୍ଡିତମାନେ ସମବେତ ହୋଇ ନକ୍ଷତ୍ର ଗଣନା କରି ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରିଛନ୍ତି। ଲଗ୍ନକୁ ନେଇ ବ୍ରହ୍ମପୁରା ଠାକୁରଙ୍କଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ବ୍ରହ୍ମପୁରା ଟ୍ରଷ୍ଟ ବୋର୍ଡ କମିଟି ସଭ୍ୟମାନେ ସମଲେଇ ମନ୍ଦିର ଫାଟକଠାରେ ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ଲଗ୍ନ ପ୍ରଦାନ କରିଥିଲେ।