ମେ’ ୨୬ରେ ଲଗ୍ନଧରା, ଜୁନ୍‌ ୬ରେ ବାହାଘର

ବାଲେଶ୍ୱର ଅଫିସ, ୨୩।୪-ବାଲେଶ୍ୱରର ଜଉକଣ୍ଢେଇ ବାହାଘର ଲୋକକଳା, ଲୋକସଂସ୍କୃତି, ଲୋକସାହିତ୍ୟ ଓ ଲୋକ ପରମ୍ପରାର ଅଦ୍ୱିତୀୟ ଲୋକପର୍ବ। କେବଳ ଓଡ଼ିଶାରେ ନୁହେଁ, ସାରା ଭାରତରେ ଏଭଳି ଲୋକପର୍ବ ବିରଳ। ଏକ ବିଲୁପ୍ତ ଲୋକକଳାକୁ ଉଜ୍ଜୀବିତ କରି ପ୍ରଚାର, ପ୍ରସାର ଓ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି ଜଉକଣ୍ଢେଇ ବାହାଘର। ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ଏକ ନିର୍ଦ୍ଧାରିତ ପିକାରେ ପାଳନ କରାଯାଇଆସୁଛି ା ପିକାନୁଯାୟୀ ଦୋଳପୂର୍ଣ୍ଣିମାରୁ ବର-କନିଆ ଜଉକଣ୍ଢେଇର ନାମକରଣ ହୋଇ ରାମନବମୀରେ ତିଆରି ଶୁଭାରମ୍ଭ କରାଯାଇଛି। ସେହିପରି ଆସନ୍ତା ମେ’ ୨୬ ଚନ୍ଦନ ପୂର୍ଣ୍ଣିମାରେ ଲଗ୍ନଧରା ଓ ଜୁନ ୬ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ବାହାଘର ହୋଇ ସାବିତ୍ରୀ ଅମାବସ୍ୟାର ଆଗ ଦିନ ଚତୁର୍ଥୀ ଭୋଜି ପରେ ଶେଷ ହେବ ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଛି ା
ଚଳିତବର୍ଷ ବର-କନିଆ ଜଉକଣ୍ଢେଇର ନାମ ପଶ୍ଚିମ ଓଡ଼ିଶାର ସମଲେଇ ଓ ଶମ୍ଭୁନାଥ ଘୋଷଣା କରାଯାଇଛି। ପବିତ୍ର ରାମନବମୀରେ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ବାଲେଶ୍ୱର ସହର ଉପକଣ୍ଠ ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗର ଦୁବଲାଗଡ଼ରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ୱାରା ଆୟୋଜିତ ସମଲେଇ ଓ ଶମ୍ଭୁନାଥ ଜଉକଣ୍ଢେଇର ନିର୍ମାଣ କାର୍ଯ୍ୟ ତ୍ରିବେଣୀଶ୍ୱର ଭାଗବତ ପୀଠର ମଠାଧୀଶ ଦୟାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଅମୃତବେଳାରେ ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ସୋନ ନଦୀର ସଙ୍ଗମସ୍ଥଳ ତ୍ରିବେଣୀ ଘାଟରୁ ଯଥାବିଧି ପୂଜାପାଠ କରାଯାଇ ନିରଞ୍ଜନ ଗିରିଙ୍କ ତତ୍ତ୍ୱାବଧାନରେ ଜଉକଣ୍ଢେଇ ନିର୍ମାଣ ପାଇଁ ଶୁଦ୍ଧପୁତ୍ତ ଭାବେ ମାଟି ଓ ଜଳ ନେଇ ଦୁବଲାଗଡ଼ରେ ପହଞ୍ଚତ୍ଥିଲେ। ଜଉକଣ୍ଢେଇ ବାହାଘରର ଆବାହକ ଶିଳ୍ପୀ କେଶୁଦାସ ମଞ୍ଚ ଆହ୍ବାନ ସହ ପ୍ରାକ୍‌ ସୂଚନା ପ୍ରଦାନ କରିଥିବା ବେଳେ କମିଟି କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ରନାଥ ପାତ୍ର ପୌରୋହିତ୍ୟ କରିଥିଲେ। ବାବାଜୀ ଦୟାନନ୍ଦ ଦାସ ଗୁପ୍ତ ପ୍ରୟାଗ ତ୍ରିବେଣୀ ତୀର୍ଥର ପବିତ୍ର ମାଟି ଓ ପାଣିକୁ ପୂଜା କରିବା ପରେ ଜଉକଣ୍ଢେଇ ଶିଳ୍ପୀଗୁରୁ କନକଲତା ଦାସଙ୍କ ନେତୃତ୍ୱରେ ସାଥୀ ଶିଳ୍ପୀ ସୁରେଖା ବେହେରା, ରାଧାମଣି ସାହୁ, ମାୟା ନାୟକ, ସୁକାନ୍ତି ସାହୁ, ପୁଷ୍ପିତା କରଣ, କବିତା ଦେ, ଫୁଲମଣୀ ସରେନ, ଭାନୁମତି ସାହୁ, ରଜନୀ ସାହୁ ଉକ୍ତ ମାଟି ଓ ପାଣିରେ ଜଉକଣ୍ଢେଇ ଗଢିବା ଆରମ୍ଭ କରିଥିଲେ। ମୁଖ୍ୟଅତିଥି ଭାବେ ନୂଆ ବାଲେଶ୍ୱର ଉନ୍ନୟନ କମିଟିି ସଭାପତି ଭଗବାନ ଦାସ ଖଣ୍ଡେଲୱାଲ ଯୋଗ ଦେଇଥିଲେ। ବ୍ରହ୍ମନାଥ ରଥ, ବ୍ୟୋମନାଥ ରଥ ପ୍ରମୁଖ କମିଟି କର୍ମକର୍ତ୍ତା ଯୋଗଦେଇଥିଲେ। ସରକାରୀ କୋଭିଡ ନିୟମ ପାଳନ କରାଯାଇଥିଲା। କମିଟି ସଦସ୍ୟା କାଞ୍ଚନବାଳା ପାତ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଭୀମପୁରାସ୍ଥ କୋଶମ୍ବ ନଗରର ଦୁବଲାଗଡରେ ଏକ ମାସ ଧରିି ମାଗଣା ଜଉକଣ୍ଢେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ତରଫରୁ ଘୋଷଣା କରାଯାଇଥିଲା ା

Share