ପାକିସ୍ତାନରେ ଲାଗିଲା ଏମରଜେନ୍ସି

ଇସଲାମବାଦ,୨।୧୧: ପାକିସ୍ତାନରେ ଲାଗିଛି ଏମରଜେନ୍ସି। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପାକିସ୍ତାନର ଲାହୋର ସହରରେ ପ୍ରଦୂଷଣ ସମସ୍ୟା ସହରବାସୀଙ୍କ ସମେତ ସରକାରଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି। ଏଥିପାଇଁ ଲାହୋରର ହାଇକୋର୍ଟ ପାକିସ୍ତାନ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଏଥିଯୋଗୁ ସରକାର ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ସହରରେ ଏମରଜେନ୍ସି ଲଗାଇଛନ୍ତି।
ଲାହୋର ହାଇକୋର୍ଟ ପ୍ରଦୂଷଣ ପାଇଁ ବର୍ତ୍ତମାନର ସରକାରଙ୍କୁ ଅସନ୍ତୋଷ ଝାଡିଛନ୍ତି। କୋର୍ଟ ସହରରେ ଏମରଜେନ୍ସି ଲାଗୁ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ କରୁଥିବା କାରଖାନାଗୁଡିକ ପୁନଃ ନ ଖୋଲିବାକୁ ତାଗିଦ୍‌ କରିଛନ୍ତି। ଏଥିସହ ଲାହୋରର ଆୟୁକ୍ତଙ୍କ ସମେତ ସମସ୍ତ ଅଧିକାରୀ ସ୍କୁଲ ଓ କଲେଜ ଗସ୍ତ କରି ଏ ବିଷୟରେ ପିଲାଙ୍କୁ ଅବଗତ କରିବାକୁ କୋର୍ଟ କହିଛନ୍ତି।
ସ୍ମୋକ କାରଣରୁ ଲାହୋର ବିଷାକ୍ତ ଗ୍ୟାସ ଚାମ୍ବର ରୂପେ ପରିଗଣିତ ହୋଇଛି। ସହରବାସୀଙ୍କ ମଧ୍ୟରେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି। ଏକ ଅଧ୍ୟୟନନୁସାରେ ମଙ୍ଗଳବାର ଲାହୋର ଦୁନିଆର ସବୁଠାରୁ ପ୍ରଦୂଷିତ ସହର ଭାବେ ତାଲିକାର ସର୍ବୋଚ୍ଚରେ ରହିଛି। ରିପୋର୍ଟ ଅନୁଯାୟୀ, ଏଠାରେ ବାୟୁର ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୫୫ ରହିଛି। ସୋମବାର ଏହା ୪୪୭ଯାଏଁ ପହଞ୍ଚି ଯାଇଥିଲା। ତେଣୁ ପଞ୍ଜାବ ମୁଖ୍ୟନ୍ତ୍ରୀ ମୋହାସିନ ପାକବି ପଞ୍ଜାବରେ ସ୍ମୋକ ଏମରଜେନ୍ସି ଲାଗୁ କରିଛନ୍ତି।

Share