ବଲିଉଡ୍ର ଖ୍ୟାତନାମା ନିର୍ଦ୍ଦେଶକ ସଞ୍ଜୟଲୀଲା ଭଁସାଲୀ ନିଜର ବହୁ ପ୍ରତୀକ୍ଷିତ ସିନେମା ‘ହୀରା ମଣ୍ଡି’ରେ ବ୍ୟସ୍ତ ଅଛନ୍ତି। ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ସହର ଲାହୋରରେ ଥିବା ଚର୍ଚ୍ଚିତ ରେଡ୍ଲାଇଟ୍ ଏରିଆ ହେଉଛି ‘ହୀରାମଣ୍ଡି’। ସିନେମାରେ ପାକିସ୍ତାନୀ ଗଣିକାଙ୍କ ଜୀବନ ଶୈଳୀ ଏବଂ ଗଣିକାଳୟର ଚିତ୍ର ସ୍ଥାନିତ କରାଯାଇଛି, ଯାହାକୁ ନେଇ ଭଁସାଲୀଙ୍କ ଉପରେ କ୍ରୋଧିତ ହୋଇଛନ୍ତି ପାକିସ୍ତାନର ଜନତା।
ବଲିଉଡ୍ ସିନେ ନିର୍ଦ୍ଦେଶକ ସଞ୍ଜୟଲୀଲା ଭଁସାଲୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ଫିଲ୍ମ ‘ହୀରା ମଣ୍ଡି’ ଏବେ ବିବାଦରେ। ପାକିସ୍ତାନର ଚର୍ଚ୍ଚିତ ରେଡ୍ଲାଇଟ୍ ଏରିଆ ଭାବେ ପରିଚିତ ଏହି ସ୍ଥାନର ରହିଛି ଦୀର୍ଘ ଇତିହାସ। ସାଧାରଣତଃ ହୀରା ମଣ୍ଡି କହିଲେ ‘ହୀରା ମାର୍କେଟ’ ବା ବଜାରକୁ ବୁଝାଯାଏ। ହେଲେ ଲାହୋରର ଗଣିକାଳୟ ‘ହୀରାମଣ୍ଡି’ ସହିତ ଦୁର୍ମୂଲ୍ୟ ଧାତୁ ହୀରାର କୌଣସି ସମ୍ପର୍କ ନାହିଁ। ଶିଖ୍ ସମ୍ରାଟ ରାଜା ରଣଜିତ ସିଂଙ୍କ ମନ୍ତ୍ରୀ ହୀରା ସିଂଙ୍କ ନାମରେ ଏହି ଅଞ୍ଚଳ ପ୍ରତିଷ୍ଠିତ ହୋଇଥିବା ଐତିହାସିକମାନେ କହୁଥିବାବେଳେ ବେଶ୍ୟାବୃତ୍ତିରେ ନିୟୋଜିତ ତରୁଣୀଙ୍କ ଲାଗି ଏହାର ନାମକରଣ ଏଭଳି ହୋଇଥିବା ଅନେକେ ମତବ୍ୟକ୍ତ କରିଛନ୍ତି। ଲାହୋର ଦୁର୍ଗ ନିକଟରେ ଅବସ୍ଥିତ ଥିବାରୁ ଏହା ‘ଶାହି ମହୋଲ୍ଲା’ ନାମରେ ମଧ୍ୟ ପରଚିତ।
ରାଜା ରଣଜିତ୍ ସିଂଙ୍କ ରାଜତ୍ୱକାଳରେ ମନ୍ତ୍ରୀ ହୀରା ସିଂ ଲାହୋରର ସମ୍ପୃକ୍ତ ଅଞ୍ଚଳରେ ପ୍ରତିଷ୍ଠା କରିଥିଲେ ଏକ ବ୍ୟବସାୟିକ ହାଟ, ଯାହାର ନାମ ରଖାଯାଇଥିଲା ‘ହୀରାମଣ୍ଡି’। ପରେ ବିଭିନ୍ନ ସ୍ଥାନରୁ ଦେହଜୀବୀମାନେ ଏଠାକୁ ଆସି ବସତି ସ୍ଥାପନ କରିବାକୁ ଲାଗିଲେ। ରାଜା ରଣଜିତ୍ ସିଂ ଗଣିକା ବର୍ଗଙ୍କ ଉନ୍ନତି ଲାଗି ବିଭିନ୍ନ କାର୍ଯ୍ୟ ହାତକୁ ନେଇଥିଲେ। ତେବେ ପଞ୍ଚଦଶ ଏବଂ ଷୋଡ଼ଶ ଶତାବ୍ଦୀ ବେଳକୁ ବେଶ୍ୟାବୃତ୍ତି ଏଠାକାର ସଂସ୍କୃତିରେ ପରିଣତ ହୋଇଗଲା। ମୋଗଲ ଶାସନ ସମୟରେ ‘ହୀରାମଣ୍ଡି’ ପାଲଟିଥିଲା ନୃତ୍ୟସଙ୍ଗୀତର ପ୍ରମୁଖ କେନ୍ଦ୍ର। ମୋଗଲ ଶାସକମାନେ ଆଫ୍ଗାନିସ୍ତାନ, ଉଜବେକିସ୍ତାନ, ଭାରତୀୟ ଉପମହାଦେଶ ବ୍ୟତୀତ ଅନେକ ସ୍ଥାନରୁ ଶାସ୍ତ୍ରୀୟ ନୃତ୍ୟସଙ୍ଗୀତରେ ନିପୁଣା ମହିଳାଙ୍କୁ ‘ହୀରାମଣ୍ଡି’କୁ ଅଣାଯାଉଥିଲା। ସେମାନଙ୍କୁ ମନୋରଞ୍ଜନ, ନୃତ୍ୟଗୀତ ଆଦି କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ଉଚ୍ଚ ଶ୍ରେଣୀର ଲୋକେ ସେମାନଙ୍କୁ ସମ୍ମାନ ଦେଉଥିଲେ। ମୋଗଲ ଶାସନର ପତନ ପରେ ଏହି ସ୍ଥାନ ବିଦେଶୀ ଆକ୍ରମଣକାରୀଙ୍କ ନଜରକୁ ଆସିଥିଲା। ଆଫ୍ଗାନ ଶାସକମାନେ ଏଠାରେ ବସତି ସ୍ଥାପନ କରିଥିବା ମହିଳାଙ୍କ ନୃତ୍ୟାଙ୍ଗନାଙ୍କ ବୃତ୍ତି ଉଜାଡ଼ି ଦେଲେ। ଫଳରେ ସେମାନେ ମନୋରଞ୍ଜନ ପେସାଠାରୁ ଦୂରେଇ ଯାଇ ଦେହ ବ୍ୟବସାୟ ଜଗତରେ ପାଦ ଥାପିବାକୁ ବାଧ୍ୟ ହେଲେ। କାଳକ୍ରମେ ଉକ୍ତ ସ୍ଥାନ ବେଶ୍ୟାବୃତ୍ତିର ଗଡ଼ ପାଲଟିଯାଇଛି।
ବ୍ରିଟିଶ ଶାସନ ସମୟରେ ମଧ୍ୟ ସୈନିକମାନେ ମନୋରଞ୍ଜନ ଲାଗି ‘ହୀରାମଣ୍ଡିକୁ ଆସୁଥିଲେ। ଇଷ୍ଟଇଣ୍ଡିଆ କମ୍ପାନୀ ଶାସନ କାଳରେ ଏବଂ ୧୯୪୭ରେ ଦେଶ ବିଭାଜନ ପରେ ସ୍ଥାନୀୟ ସରକାର ‘ହୀରା ମଣ୍ଡି’ର କଳେବର ବଦଳାଇବାକୁ ଅନେକ ଉଦ୍ୟମ କରିଥିଲେ। ହେଲେ ପ୍ରୟାସ ବୃଥା ଯାଇଛି। ଦିନ ସମୟରେ ଅନ୍ୟ ବଜାର ଭଳି ସାଧାରଣ ଦେଖାଯାଉଥିବା ‘ହୀରାମଣ୍ଡି’ ସଞ୍ଜ ନଇଁଲେ ପ୍ରକୃତ ରୂପକୁ ଆସେ। ବଜାରର ତଳ କୋଠାରେ ସୁସ୍ବାଦୁ ଖାଦ୍ୟ, ବିଭିନ୍ନ ଜରୁରୀ ସାମଗ୍ରୀ, ନୃତ୍ୟ ସଙ୍ଗୀତର ଉପକରଣ ବିକ୍ରି ହେଉଥିବାବେଳେ ଉପର ମହଲାରେ ଚାଲେ ଦେହ ବ୍ୟବସାୟ। ଭଁସାଲୀଙ୍କ ପ୍ରତୀକ୍ଷିତ ସିନେମା ‘ହୀରାମଣ୍ଡି’ ପୂର୍ବରୁ ଅଭିଶେକ୍ ବର୍ମନ ଫିଲ୍ମ ‘କଲଙ୍କ’ରେ ‘ହୀରାମଣ୍ଡି’ର ଚିତ୍ର ଉପସ୍ଥାପନ କରାଯାଇଥିଲା।