ଆଶଙ୍କାରେ ଲେକ୍‌ ନ୍ୟୁଟ୍ରାଲ୍‌

ଭୁବନେଶ୍ୱର,୧୦।୬ (ବନ୍ଦନା ସେଠୀ): ସତ୍ୟନଗରସ୍ଥିତ ଡ୍ରେନ୍‌ ନଂ. ୧୦ରେ ଲେକ୍‌ ନ୍ୟୁଟ୍ରାଲ ପ୍ରକଳ୍ପ ପାଇଁ ୨୦୧୭ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୋଟ୍‌ ୩୮ ଏକର ଅଞ୍ଚଳରେ ପ୍ରକଳ୍ପ କରିବାକୁ ଯୋଜନା ଥିଲା। ଏଥିପାଇଁ ୬୩କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବାବେଳେ ୨ବର୍ଷର ସମୟ ଅବଧି ରଖାଯାଇଥିଲା। ମାତ୍ର ଅବଧି ପୂରଣ ହେବାର ୪ବର୍ଷ ବିତିବାକୁ ବସିଥିବାବେଳେ ଲେକ୍‌ କାମ ସରିପାରୁ ନାହିଁ। ଅପରପକ୍ଷେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ଲାନ୍‌ ଦାଖଲ କରିବାରେ ବିଫଳ ହେବାରୁ କେନ୍ଦ୍ରର ନୋଟିସ୍‌ ଅଫ୍‌ ଡିସିସନ୍‌ (ନୋଡ୍‌) ପାଇବାରେ ପ୍ରକଳ୍ପ ବିଫଳ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟରେ ଦାଖଲ ହୋଇଥିବା ପ୍ରାୟ ୭୯କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ବିକାଶ ପାଇଁ ସର୍ବଶେଷ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସେହିପରି ପ୍ରଶାସନିକ ଉଦାସୀନତା ଏବଂ ଏହାର ଡିଜାଇନ୍‌ରେ ବାରମ୍ବାର ପରିବର୍ତ୍ତନ କରିବା ପ୍ରକଳ୍ପ ପ୍ରତ୍ୟାଖାନ ହେବାର ଅନ୍ୟତମ କାରଣ ବୋଲି ଜଣାପଡିଛି। ଏହାଦ୍ୱାରା ସ୍ମାର୍ଟସିଟିକୁ ପ୍ରାୟ ୧୫୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ସହିବାକୁ ପଡିଥିବା ସ୍ମାର୍ଟସିଟିର ଜଣେ କର୍ମଚାରୀ କହିଛନ୍ତି। ଅପରପକ୍ଷେ ବର୍ଷବର୍ଷ ଧରି ଗୋଟିଏ ପ୍ରକଳ୍ପର ଡିଜାଇନ୍‌ ପ୍ରସ୍ତୁତ କରି ନ ପାରିବା ଏବଂ ଏହାଦ୍ୱାରା ପ୍ରକଳ୍ପ ବନ୍ଦ ହେବା ନେଇ ସ୍ମାର୍ଟସିଟିକୁ ସମାଲୋଚନାର ଶୀକାର ହେବାକୁ ପଡିଛି। ତେଣୁ ତରବରିଆ ଭାବେ ନିଜର ଦୋଷ ଲୁଚାଇବାକୁ ଏବେ ବିଭାଗ ଚେଷ୍ଟା ଆରମ୍ଭ କରିଛି। କେନ୍ଦ୍ରର ଅନୁମୋଦନ ନ ମିଳିଲେ ମଧ୍ୟ ପୂର୍ବରୁ ଯେତିକି ଟଙ୍କା ମିଳିଛି ସେଥିରେ ଲେକ୍‌ ନ୍ୟୁଟ୍ରଲ୍‌ର କିଛି ଅଂଶ କାମ କରିବାକୁ ସ୍ମାର୍ଟସିଟି ଅଣ୍ଟା ଭିଡିଛି। ଲେକ୍‌ ନ୍ୟୁଟ୍ରାଲକୁ ୩ଜୋନ୍‌ରେ ଭାଗ କରି ଜୋନ୍‌-୧ ଅନ୍ତର୍ଗତ ପ୍ରାୟ ୧୫୦ ମିଟର ସୌନ୍ଦର୍ଯ୍ୟକରଣ ପାଇଁ କାମ କରାଯାଉଛି। ଏଥିପାଇଁ ୯କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ତେବେ ଜମି ଅଧିଗ୍ରହଣ ହୋଇ ନ ଥିବାରୁ କାମ ସେପରି ଅଧାପନ୍ତରିଆ ହୋଇ ପଡି ରହିଛି। ହାତରେ ଆଉମାତ୍ର ଦିନ କେଇଟା ଥିବାବେଳେ ଜମିଅଧିଗ୍ରହଣ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ ରାଜଧାନୀବାସୀଙ୍କୁ ସହର ଭିତରେ ପ୍ରାକୃତିକ ହ୍ରଦର ସୌନ୍ଦର୍ଯ୍ୟ ଉପଭୋଗ କରାଇବାକୁ ଦେଖାଇଥିବା ସ୍ବପ୍ନ ଏକ ପ୍ରକାର ଧୂଳିସାତ୍‌ ହୋଇଯାଇଛି।

Share