ଲଖନପୁର ବ୍ଲକ ୧୯ଖଣ୍ଡ ମୌଜାରେ ପଶିଲା ବନ୍ୟା ଜଳ, ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଝାରସୁଗଡ଼ା ଅଫିସ,୧୬।୮: ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ଲଗାଣ ବର୍ଷା ଫଳରେ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ୧୯ ଖଣ୍ଡ ମୌଜାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ନଦୀପାର୍ଶ ଗ୍ରାମସବୁ ପ୍ରଭାବିତ ହେବାରେ ଲାଗିଛି। ଇତିମଧ୍ୟରେ ରେମତା ପଞ୍ଚାୟତ ଚିଖିଲି, ସରଧା ଏବଂ କଣ୍ଢେଇକେଲା ପଞ୍ଚାୟତର ସୁଖାସୋଢା, ସେମିଲିଆ, ଓ କନକତୋରା ପଞ୍ଚାୟତର କନକତୋରା ନାଏକଡେରା ଗ୍ରାମରେ ବନ୍ୟା ପାଣି ପଶି ଆସିଛି। ଏସବୁ ଗ୍ରାମର ୧୪୨ଜଣ ଲୋକଙ୍କୁ ଗାଁ ସ୍କୁଲ ଏବଂ ବନ୍ୟା ଆଶ୍ରୟ ସ୍ଥଳରେ ଥଇଥାନ କରାଯାଇଛି।

ସେମିଲିଆ ପ୍ରାଥମିକ ସ୍କୁଲରେ ୩୫ଜଣ, ସୁଖାସୋଢା ପ୍ରାଥମିକ ସ୍କୁଲରେ ୩୦ଜଣ, ଚିଖିଲି ପ୍ରାଥମିକ ସ୍କୁଲରେ ୧୧ଜଣ, ସରଧା ପ୍ରାଥମିକ ସ୍କୁଲରେ ୪୪ଜଣ ଓ କନକତୋରା ବନ୍ୟା ଆଶ୍ରୟ ସ୍ଥଳୀରେ ୨୨ଜଣ ଲୋକଙ୍କୁ ଥଇଥାନ କରାଯାଇଛି। ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। କଣ୍ଢେଇକେଲା ପଞ୍ଚାୟତ କାର୍ଯ୍ୟାଳୟରେ ରୋଷେଇ କରାଯାଇ ବିଭିନ୍ନ ଆଶ୍ରୟ ସ୍ଥଳୀକୁ ଗାଡି ସାହାର୍ଯ୍ୟରେ ଯୋଗାଇ ଦିଆଯାଉଛି। ଏନେଇ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି।

ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଲଙ୍କେଶ୍ୱର ଅମାତ, ବିଡିଓ ଜୟନ୍ତ ସାହୁ, ତହସିଲଦାର ବିଶ୍ବକେଶନ ପାଣ୍ଡେ, ଅତିରିକ୍ତ ବିଡିଓ ଗୋପାଳ କ୍ରିଷ୍ଣା ମିଶ୍ର, ବିଧାୟିକା ଅଳକା ମହାନ୍ତି, ରେମତା ସରପଞ୍ଚ ପ୍ରଫୁଲ୍ଲ ସିଂହ, କଣ୍ଢେଇକେଲା ସରପଞ୍ଚ ଅଶୋକ ସେଠ, ସମିତସଭ୍ୟ ଅନିଲ ବାରିକ, କନକତୋରା ସରପଞ୍ଚ ସୁଶାନ୍ତ ଚଇନ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ସହ ଜନପ୍ରତିନିଧି ବନ୍ୟା ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏନେଇ ବିଡିଓ ସାହୁ କହିଛନ୍ତି ବନ୍ୟା ମୁକାବିଲା ନେଇ ପ୍ରଶାସନ ପ୍ରସ୍ତୁତ ରହିଇଛି। ଏପରିକି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ବନ୍ୟାଜଳ ଧିରେଧିରେ ହ୍ରାସ ପାଉଥିବା ସେ କହିଛନ୍ତି।