ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଘଟଣା ବେଳକୁ ବେଳ ରାଜନୈତିକ ମୋଡ ନେଉଥିବା ଅନୁମାନ କରାଯାଉଛି । ଏହି ଘଟଣାକୁ ନେଇ ବିରୋଧିଦଳ ନେତାମାନେ ଲକ୍ଷ୍ମୀପୁର ପହଞ୍ଚିବା ଆରମ୍ଭ କରି ଦେଇଥିବା ବେଳେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଉତ୍ତର ପ୍ରଦେଶ ପୋଲିସ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଲକ୍ଷ୍ନୌ ସ୍ଥିତ ତାଙ୍କ ଘରେ ନଜର ବନ୍ଦୀ କରି ରଖିବା ସହ ତାଙ୍କ ଘର ବାହାରେ ବହୁ ପରିମାଣରେ ପୋଲିସ ମୁତୟନ ହୋଇଛନ୍ତି । ଅଖିଳେଶ ସୋମବାର ସକାଳୁ ଲକ୍ଷ୍ମୀପୁର ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ଓ ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା ଲକ୍ଷ୍ମୀପୁର ଆସିବାକୁ ଥିବା ବେଳେ ଉତ୍ତର ପ୍ରଦେଶର ଆଡିଶନାଲ ଚିଫ୍ ସେକ୍ରେଟାରୀ ଅୱନିଶ ଆୱସ୍ତି ସେମାନଙ୍କ ବିମାନକୁ ଅବତରଣ ନ କରିବା ପାଇଁ ଲକ୍ଷ୍ନୌ ବିମାନ ବନ୍ଦର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।