Categories: ଜାତୀୟ

ଲଖିମ୍‌ପୁର ଖେରି ମାମଲା:୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ଲକ୍ଷ୍ନୌ,୧୦।୫: ଉତ୍ତରପ୍ରଦେଶର ଲଖିମପୁର ଖେରିରେ ଗତବର୍ଷ ଅକ୍ଟୋବରରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ୪ ଜଣଙ୍କୁ ହତ୍ୟା କରିବା ଓ ପରବର୍ତ୍ତୀ ହିଂସାରେ ଅନ୍ୟ ୪ ଜଣଙ୍କ ଜୀବନ ଯିବା ଘଟଣାରେ ୪ ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସୋମବାର ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍‌ ଖାରଜ କରିଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ଅଙ୍କିତ୍‌ ଦାସ, ଲବକୁଶ, ସୁମିତ ଜୈଶ୍ୱାଲ ଏବଂ ଶିଶୁପାଳ। ଚାଷୀମାନଙ୍କୁ ଜିଲା ବାହାରକୁ ତଡ଼ିଦିଆଯିବ ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଧମକ ଦେଇ ନ ଥିଲେ ଏଭଳି ଘଟଣା ଘଟି ନ ଥାନ୍ତା ବୋଲି ଜଷ୍ଟିସ୍‌ ଡି.କେ. ସିଂଙ୍କ ଖଣ୍ଡପୀଠ କହିଥିଲେ। ଉଚ୍ଚ ପଦବୀରେ ଥିବା ରାଜନୈତିକ ବ୍ୟକ୍ତି ସେମାନଙ୍କ ଷ୍ଟାଟସ୍‌ ଓ ମର୍ଯ୍ୟାଦାକୁ ଚାହିଁ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଉଚିତ୍‌ ନୁହେଁ। ଆଇନ ପ୍ରଣେତା ଆଇନ ଭଙ୍ଗକାରୀ ହୋଇପାରିବେ ନାହିଁ। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସିଆର୍‌ପିସିର ଧାରା ୧୪୪ର ବ୍ୟବସ୍ଥା ସମ୍ପର୍କରେ ଜାଣି ନ ଥିବା ବିଶ୍ୱାସ ହେଉନାହିଁ ବୋଲି ବିଚାରପତି କହିଛନ୍ତି। ମୁଖ୍ୟ ଅଭିଯୁକ୍ତ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଓ ଅନ୍ୟମାନେ ପ୍ରଭାବଶାଳୀ ରାଜନୈତିକ ପରିବାରରୁ ଆସିଥିବାରୁ ସାକ୍ଷୀଙ୍କୁ ପ୍ରଭାବିତ କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ସେଥିପାଇଁ ସେମାନଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରାଗଲା ବୋଲି ଖଣ୍ଡପୀଠ କହିଛନ୍ତି।

Share