Categories: ଜାତୀୟ

ପୁଣି ଆହ୍ଲାବାଦ ହାଇକୋର୍ଟକୁ ଫେରିଲା ଲଖିମପୁର ଖେରୀ ମାମଲା,…

ନୂଆଦିଲ୍ଲୀ, ୧୮।୪ : ଲଖିମପୁର ଖେରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହା ସହ ଶୀର୍ଷ ଅଦାଲତ ପୁନର୍ବାର ହାଇକୋର୍ଟରେ ମାମଲା ପଠାଇଛନ୍ତି। ଅଦାଲତ କହିଛନ୍ତି ଯେ ଯଦି ଏହି ପ୍ରସଙ୍ଗରେ କୌଣସି ନୂତନ ପ୍ରସଙ୍ଗ ଉପୁଜେ, ତେବେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରାଯିବା ଉଚିତ ବୋଲି ଜାମିନ ନାମଞ୍ଜୁର କରିବା ଆବେଦନ ଉପରେ ଶୁଣାଣି କରି ପ୍ରଧାନ ବିଚାରପତି ଏନଭି ରମନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ନେତୃତ୍ୱ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଜାରି କରିଛନ୍ତି। ଶୀର୍ଷ କୋର୍ଟ ଆଶିଷ ମିଶ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ରାୟ ଘୋଷଣା କରିବା ସହିତ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରିଛନ୍ତି ଯେଉଁଥିରେ ଆଶିଷ ମିଶ୍ରଙ୍କୁ ଜାମିନ ପ୍ରଦାନ କରାଯାଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟ ପୀଡ଼ିତ ପକ୍ଷଙ୍କ ପ୍ରତି ଦୃଷ୍ଟି ଦେଇ ନାହାନ୍ତି ଏବଂ ନିଜର ଅଧିକାରକୁ ଉଲ୍ଳଂଘନ କରିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଖଣ୍ଡପୀଠ ଜାମିନ ନାମଞ୍ଜୁର କରିବା ଆବେଦନ ଉପରେ ଶୁଣାଣି ଶେଷ କରି ଏପ୍ରିଲ ୪ ରେ ରାୟ ସଂରକ୍ଷିତ ରଖିଥିଲେ। ଫେବୃଆରୀ ୧୪ ରେ ଆହ୍ଲାବାଦ ହାଇକୋର୍ଟ ଆଶିଷ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହାକୁ ନେଇ ପ୍ରଶ୍ନ ଉଠିଥିଲା। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରି ଲଖିମପୁର ଘଟଣାରେ ମୃତ୍ୟୁ ଘଟିଥିବା ଚାଷୀଙ୍କ ପରିବାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଏହି ହିଂସା ମାମଲାର ଯାଞ୍ଚ ପାଇଁ ଏସଆଇଟି ମଧ୍ୟ ଗଠନ କରାଯାଇଥିଲା। ଏହାର ଅନୁସନ୍ଧାନରେ, ଏସଆଇଟି ଆଶିଷ ମିଶ୍ରଙ୍କୁ ଲକ୍ଷ୍ମୀପୁର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଷଡଯନ୍ତ୍ରକାରୀ ଭାବରେ ଦର୍ଶାଇଥିଲେ। ହାଇକୋର୍ଟ ଦେଇଥିବା ଜାମିନକୁ ମଧ୍ୟ ଏସଆଇଟି ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ଅକ୍ଟୋବର ୩ରେ ଏହି ଘଟଣାରେ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଥିଲା।

Share