Categories: ଜାତୀୟ

ଦେଶରେ ଏକଛାତ୍ରବାଦୀ ଶାସନ ଚାଲିଛି: ରାହୁଲ

ନୂଆଦିଲ୍ଲୀ,୬।୧୦: ଲଖିମ୍‌ପୁର ଖେରିରେ ଚାରିଜଣ ଚାଷୀଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ପରେ ରାଜନୀତି ତୀବ୍ର ହୋଇଛି। ବିରୋଧୀ ଦଳର ନେତାମାନେ ଲଗାତର ଖେରିରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ବୁଧବାର ରାହୁଲ ଗାନ୍ଧୀ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସହ ଲଖିମ୍‌ପୁର ଯିବାକୁ ଘୋଷଣା କରିଛନ୍ତି, କିନ୍ତୁ ଉତ୍ତରପ୍ରଦେଶ ପ୍ରଶାସନ ତାଙ୍କୁ ଅନୁମତି ଦେଇନାହାଁନ୍ତି। ଏଥିସହ ରାହୁଲ ଗାନ୍ଧୀ ୟୁପି ଯିବା ପୂର୍ବରୁ ଏକ ଖବରଦାତା ସମ୍ମିଳନୀ କରିଥିଲେ। ସେ ଯୋଗୀ ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ, କିଛି ଦିନ ହେବ ସରକାର ଚାଷୀଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ଚାଷୀଙ୍କ ଉପରେ ଗାଡି ମାଡି ଦେଉଛନ୍ତି। ଏପର୍ଯ୍ୟନ୍ତ ମନ୍ତ୍ରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।
ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଭାରତରେ ଗଣତନ୍ତ୍ର ଥିଲା କିନ୍ତୁ ଏବେ ଏଠାରେ ଏକଛତ୍ରବାଦୀ ଶାସନ ଚାଲିଛି। କେବଳ କଂଗ୍ରେସ ନେତାମାନେ ୟୁପି ଯାଇପାରିବେ ନାହିଁ, ସେମାନଙ୍କୁ ଅଟକାଯାଉଛି। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ୟୁପି ଯିବାକୁ ଅନୁମତି ଦିଆଯାଉ ନାହିଁ। ଉତ୍ତରପ୍ରଦେଶରେ ଅପରାଧୀମାନେ ମୁକ୍ତ ଭାବେ ବୁଲିବାର ସ୍ବାଧୀନତା ଥିବାବେଳେ ପୀଡ଼ିତାଙ୍କୁ ଜେଲରେ ରଖାଯାଇଛି। ଏଥି ସହିତ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରିବା ପ୍ରଶ୍ନରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି, କିନ୍ତୁ ଏଠାରେ ବଡ ପ୍ରସଙ୍ଗ ହେଉଛି କୃଷକଙ୍କ। ଆମ ଦଳ କୃଷକଙ୍କ ଅଧିକାର ବିଷୟରେ ଆଲୋଚନା କରିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଲଖିମ୍‌ପୁର ଖେରିରେ ରବିବାର ଚାଷୀମାନେ ବିକ୍ଷୋଭ କରୁଥିବାବେଳେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ସମେତ ୩ଟି ଏସୟୁଭି ଚାଷୀଙ୍କ ଉପରେ ମାଡିଯିବା ଏବଂ ତତ୍‌ପରବର୍ତ୍ତୀ ହିଂସାକାଣ୍ଡରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଆଶିଷଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଘଟଣାସ୍ଥଳକୁ ଯାଇଥିବାବେଳେ ତାଙ୍କୁ ଅଟକ ରଖାଯାଇଥିଲା। ଅଟକ ରଖାଯିବାର ୩୦ ଘଣ୍ଟା ପରେ ପୋଲିସ ତାଙ୍କୁ ଗିରଫ କରିଛି।

Share