Categories: ଜାତୀୟ

ଲକ୍ଷ୍ମୀପୁର ଖେରି ଘଟଣା: ରାକେଶ ଟିକାଏତ କହିଲେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ହେବନାହିଁ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୪ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ଘଟଣା ଏବେ ଉତ୍ତେଜନାପୂର୍ଣ୍ଣ ହେବାକୁ ଯାଉଛି । ସେଠାରେ କୃଷକମାନେ ସାରା ରାତି ଧାରଣାରେ ବସିଛନ୍ତି । କୃଷକଙ୍କ ଦାବି ହେଉଛି ଯେପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ସେପଯ୍ୟନ୍ତ ସେମାନେ ଧାରଣାରୁ ହଟିବେ ନାହିଁ । ଏହା ପୂର୍ବରୁ କୃଷକ ନେତା ରାକେଶ ଟିକାଏତ ଭୋର ପାୟ ୪ଟା ସୁଦ୍ଧା ଲକ୍ଷ୍ମୀପୁର ଖେରି ପହଞ୍ଚିବା ସହ ସେଠାରେ ଥିବା ଗୁରୁଦ୍ୱାରରେ କୃଷକ କମିଟି ସହ ଏକ ବୈଠକରେ ବସିଥିଲେ । ବୈଠକରେ ଆଗକୁ ରଣନୀତି କ’ଣ ହେବ ତାହା ସ୍ଥିର କରାଯାଇଛି । ଏହା ପୂର୍ବରୁ ଟିକାଏତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଓ ତାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ତେବେ କୃଷକଙ୍କ ସହ ବୈଠକ ପରେ ଟିକାଏତ ଘୋଷଣା କରିଛନ୍ତି କି ଯେପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ସେପର୍ଯ୍ୟନ୍ତ ସେମାନେ ମୃତକଙ୍କର ଅନ୍ତିମ ସଂସ୍କାର କରିବେ ନାହିଁ । ଏବେ ଲକ୍ଷ୍ମୀପୁରରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ନେତାଙ୍କ ଯା’ଆସ ଉପରେ କଟକଣା ଲଗାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ଏଫ୍‌ଆଇଆର୍‌ରେ ଅଜୟ ମିଶ୍ରା ଓ ତାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାଁ ରହିବ । ସୂଚନାଯୋଗ୍ୟ, ୟୁପିର ଉପମଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ରବିବାର ଲକ୍ଷ୍ମୀପୁର ଖେରିରେ ଆୟୋଜିତ ଏକ କୁସ୍ତି କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ହେଲେ ସେ ପହଞ୍ଚିବା ପୂର୍ବରୁ କୃଷି ଆଇନକୁ ବିରୋଧ କରି କୃଷକମାନେ ବିରୋଧ ପ୍ରଦର୍ଶନ କରିଥିଲେ । କୃଷକଙ୍କ ଅଭିଯୋଗ ହେଉଛି କି ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଓ ତାଙ୍କ ସମର୍ଥକ କୃଷକଙ୍କ ଉପରେ ଗାଡି ମଡାଇ ଦେଇଥିଲେ । ଏହାପରେ ଉତ୍ୟକ୍ତ କୃଷକ ୨ଟି ଗାଡିରେ ନିଆଁ ଲଗାଇ ଦେଇଥିଲେ ।

Share