Categories: ଜାତୀୟ

ଲଖିମପୁର ଖେରି: ବିଧାୟକଙ୍କ ଗାଡି ମାଡିଯିବାରୁ ବାଇକ ଚାଳକ ଦୁଇ ଭାଇ ମୃତ

ଲଖିମପୁର ଖେରି,୧୮ ।୪: ଉତ୍ତର ପ୍ରଦେଶର ଲଖିମପୁର ଖେରି ପୁଣିଥରେ ଚର୍ଚ୍ଚାକୁ ଆସିଛି । ଏଠାରେ ବିଧାୟକ ଷ୍ଟିକର ଲାଗିଥିବା ଏକ ଗାଡି ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ବାଇକରେ ଯାଉଥିବା ଦୁଇଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ଦୁଇ ଭାଇଙ୍କର ମୃତ୍ୟୁୃ ହୋଇଥିଲା । ସ୍କର୍ପିଓଟି ସଦର ବିଧାୟକଙ୍କର ବୋଲି କୁହାଯାଉଛି । ଗାଡି ଓ ଡ୍ରାଇଭରକୁ ପୋଲିସ ଅଟକ ରଖିଛି । ଏହି ଘଟଣା ସଦର କୋତବାଲିର ରାମପୁର ନିକଟରେ ହୋଇଛି । ଗାଡିଟି ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ଯୋଗେଶ ବର୍ମାଙ୍କର ବୋଲି କୁହାଯାଉଛି ।
ସୂଚନା ମୁତାବକ, ମୃତ ଦୁଇଜଣ ହେଲେ ଖେରି ଥାନା ଅଞ୍ଚଳର କରିତରପୁର ଗାଁ ବାସିନ୍ଦା । ସେମାନେ ରାମପୁରରୁ ନିଜ ଘରକୁ ଫେରିବା ସମୟରେ ଏହି ଦୁର୍ଘଟଣା ହୋଇଛି । ଘଟଣା ସମ୍ପର୍କରେ ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ସହ ଡ୍ରାଇଭରଙ୍କୁ ଅଟକ ରଖିଛି । କୁହାଯାଉଛି ଗାଡିଟି ବିଧାୟକ ଯୋଗେଶ ବର୍ମାଙ୍କ ପତ୍ନୀଙ୍କ ନାମରେ ରହିଛି । ହେଲେ ଯେଉଁ ସମୟରେ ଏହି ଦୁର୍ଘଟଣା ହେଲା ସେ ସମୟରେ ବିଧାୟକ ଗାଡିରେ ନ ଥିଲେ ।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ବି ଲଖିମପୁର ଖେରିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ ଗାଡି ମଡାଇ ଦେଇଥିଲେ । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।

Share