Categories: ଜାତୀୟ

ଲଖିମପୁର ଖେରି ହିଂସାର ତଦନ୍ତ ପାଇଁ ୟୁପି ସରକାର ରାଜି

ନୂଆଦିଲ୍ଲୀ,୧୫।୧୧: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ଏସ୍‌ଆଇଟି ତଦନ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରିବା ଲାଗି ୟୁପି ସରକାର ସୋମବାର ରାଜି ହୋଇଛନ୍ତି। ଗତମାସ ୩ ତାରିଖରେ ଲଖିମପୁର ଖେରିରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ମାଡ଼ିଯାଇ ୪ ଜଣଙ୍କ ମୃତ୍ୟୁ ହେବା ସହ ହିଂସାକାଣ୍ଡରେ ଅନ୍ୟ ୪ ଜଣଙ୍କ ଜୀବନ ଯାଇଥିଲା। ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ରାଜ୍ୟର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ମାମଲାର ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଥିଲେ। ବୁଧବାର ପରବର୍ତ୍ତୀ ଶୁଣାଣି ବେଳେ ଅବସରପ୍ରାପ୍ତ ବିଚାରପତିଙ୍କ ନାମ ଘୋଷଣା କରାଯିବ ବୋଲି ପ୍ରଧାନ ବିଚାରପତି ଏନ୍‌.ଭି, ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ଘର ହୋଇ ନ ଥିବା ୟୁପି କ୍ୟାଡର ଆଇପିଏସ୍‌ ଅଫିସରଙ୍କୁ ଏସ୍‌ଆଇଟିରେ ନିଯୁକ୍ତି ଦେବାକୁ ଓ ମଙ୍ଗଳବାର ସେମାନଙ୍କ ନାମ ଜଣାଇବାକୁ ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଲଖିମପୁର ଘଟଣାରେ ତଦନ୍ତର ଅଗ୍ରଗତିକୁ ନେଇ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Share