Categories: ଜାତୀୟ

‘ବିରୋଧୀ ଏକଜୁଟ ହେବା ଆବଶ୍ୟକ’

ମୁମ୍ବାଇ,୫।୧୦: ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ମଙ୍ଗଳବାର ବିରୋଧୀଙ୍କୁ ଏକଜୁଟ୍‌ ହେବାକୁ ଆହ୍ବାନ ଦେଇଛନ୍ତି। ଲଖିମ୍‌ପୁର ଖେରି ଘଟଣା ପରେ ବିରୋଧୀ ଦଳ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ ଏବଂ ଆଜି ସାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିବେ ବୋଲି ରାଓ୍ବତ କହିଛନ୍ତି। ସେ ଟୁଇଟ କରି କହିଛନ୍ତି, ଲଖିମ୍‌ପୁର ଖେରି ଘଟଣା ସମଗ୍ର ଦେଶକୁ ଚକିତ କରିଛି। ୟୁପି ସରକାର ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରିଛନ୍ତି। ବିରୋଧୀଦଳର ନେତାମାନଙ୍କୁ କୃଷକଙ୍କୁ ଭେଟିବାକୁ ବାରଣ କରାଯାଉଛି। ଉତ୍ତରପ୍ରଦେଶରେ ସରକାରଙ୍କ ଦମନ ବିରୋଧରେ ବିରୋଧୀ ଏକଜୁଟ ହେବା ଆବଶ୍ୟକ। ୪.୧୫ ରେ ରାହୁଲ ଗାନ୍ଧୀଙ୍କୁ ଭେଟିବେ। ଜୟ ହିନ୍ଦ।
ସୂଚନାଯୋଗ୍ୟ, ଲଖିମ୍‌ପୁର ଖେରିରେ ରବିବାର ଚାଷୀମାନେ ବିକ୍ଷୋଭ କରୁଥିବାବେଳେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ସମେତ ୩ଟି ଏସୟୁଭି ଚାଷୀଙ୍କ ଉପରେ ମାଡିଯିବା ଏବଂ ତତ୍‌ପରବର୍ତ୍ତୀ ହିଂସାକାଣ୍ଡରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଆଶିଷଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଘଟଣାସ୍ଥଳକୁ ଯାଇଥିବାବେଳେ ତାଙ୍କୁ ଅଟକ ରଖାଯାଇଥିଲା। ଅଟକ ରଖାଯିବାର ୩୦ ଘଣ୍ଟା ପରେ ପୋଲିସ ତାଙ୍କୁ ଗିରଫ ଗିରଫ କରିଛି।

Share