କୋଣାର୍କ,୪।୨: ଆଜି ପବିତ୍ର ମାଘ ସପ୍ତମୀ। ଏହି ପରିପ୍ରେକ୍ଷୀରେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମଙ୍ଗଳବାର ଭୋରରୁ ଲକ୍ଷାଧିକ ସାଧୁ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ବୁଡ଼ ପକାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ସମାଗମ ହୋଇଛି। ଏନେଇ ମେଳାପଡ଼ିଆ ଲୋକାରଣ୍ୟ ହୋଇପଡ଼ିଛି।
‘ତ୍ରିଶମ୍ଭୁ’ ଭାବେ ପରିଚିତ ୩ ଠାକୁରଙ୍କ ମହାସ୍ନାନ ଓ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି। ମଙ୍ଗଳବାର ମାଘସପ୍ତମୀ ଉପଲକ୍ଷେ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ତେଣୁ ଶ୍ରଦ୍ଧାଳୁମାନେ ବିନା ଦେୟରେ ମନ୍ଦିର ପରିଦର୍ଶନ ସହ ପରିବାରର ରିଷ୍ଟ ଖଣ୍ଡନ ଉଦ୍ଦେଶ୍ୟରେ ନବଗ୍ରହ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ତ୍ରିଶମ୍ଭୁ ଭାବେ ପରିଚିତ ସ୍ଥାନୀୟ ମାଧିପୁର ଗ୍ରାମର ଆରାଧ୍ୟ ଦେବତା ତ୍ରିବେଣୀଶ୍ବର ମହାଦେବ, ସନ୍ଥପୁର ଗ୍ରାମର ବାବା ଐଶାନେଶ୍ୱର ଓ କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ବର ମହାଦେବ ମାଘ ଷଷ୍ଠୀ ରାତି ୯ଟା ୪୫ରୁ ୧୦ଟା ୧୫ ମିନିଟ ମଧ୍ୟରେ ସୁସଜ୍ଜିତ ବିମାନରେ ବିଜେ କରିଥିଲେ। ପରେ ରୀତିନୀତି ଅନୁଯାୟୀ, ପୀଠରେ ତିନିଠାକୁରଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ ହୋଇଥିଲା। ତ୍ରିଶମ୍ଭୁ ନିଜ ନିଜ ପୀଠରୁ ବାହାରି ରାତି ୧ଟା ୩୦ରେ କୋଣାର୍କ ଏନ୍ଏସିସ୍ଥିତ ଭୋଗ ମଣ୍ଡପରେ ପହଞ୍ଚି ଥିଲେ।
ତ୍ରିଶମ୍ଭୁଙ୍କ ନିକଟରେ ଭୋଗ ଲାଗି ସହ ପୂଜାର୍ଚ୍ଚନା ପରେ କୋଣାର୍କ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଓ ପୂର୍ତ୍ତବିଭାଗ କାର୍ଯ୍ୟାଳୟଠାରେ ଭୋଗ ଲାଗି କରାଯାଇଥିଲା। ପରେ ତ୍ରିଶମ୍ଭୁ ରଙ୍ଗିନ ଆଲୋକ ଓ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମଧ୍ୟରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ମଙ୍ଗଳବାର ଭୋର ୪ଟାରେ ତ୍ରିଶମ୍ଭୁ ଏହି ତୀର୍ଥ ପୁଷ୍କରିଣୀ ସ୍ନାନ ମଣ୍ଡପରେ ଅବସ୍ଥାନ କରିବା ପରେ ତୀର୍ଥ ପୁଷ୍କରିଣୀରୁ ବରିଷ୍ଠ ସେବାୟତମାନେ ପୁଣ୍ୟ ଜଳ ଆଣି ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ତିନି ଠାକୁରଙ୍କ ମହାସ୍ନାନ ବିଧି ସମ୍ପନ୍ନ ପରେ ଭୋର ୪ଟା ୩୭ରେ ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ମାଘସପ୍ତମୀ ବୁଡ଼ ପକାଇଥିଲେ । ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।