ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି । ଏହା ସହିତ ବ୍ୟବହୃତ ପିକଅପ୍‌ ଭ୍ୟାନ ସହିତ ସମ୍ପୃକ୍ତ ଡ୍ରାଇଭରଙ୍କୁ ଟାଉନ ଥାନାରେ ଅଟକ ରଖାଯାଇଛି । ନିର୍ବାଚନ ସହିତ ଜବତ ଟଙ୍କାର ସମ୍ପର୍କ ରହିଛି କି ନାହିଁ, ସେ ନେଇ ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନା ଆଇଆଇସି ସତ୍ୟଜିତ କଣ୍ଡାନକେଲ କହିଛନ୍ତି ।

ସମ୍ପୃକ୍ତ ପିକଅପ୍‌ ଭ୍ୟାନଟି ବରପାଲି ପଟରୁ ସମ୍ବଲପୁର ପଟକୁ ଯାଉଥିବା ପୋଲିସ କହିଛି । ଚଳିତ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଲାଗୁହେବା ପରେ ବରଗଡ଼ରେ ଏତେଟଙ୍କା ଜବତ ହେବା ଏହା ପ୍ରଥମ ଘଟଣା ଏବଂ ନିର୍ବାଚନ ସହିତ ସେହି ଟଙ୍କାର ସମ୍ପର୍କ ରହିଥିବା ପ୍ରମାଣ ମିଳିଲେ ନିୟମ ମୁତାବକ ସମ୍ପୃକ୍ତ ରାଜନୈତିକ ଦଳ ବିରୋଧରେ କାର୍ଯାନୁଷ୍ଠାନ ନିଆଯିବ ବୋଲି ଫ୍ଲାଇଂ ଟିମ୍‌ ସ୍କ୍ବାଡ୍‌କୁ ଲିଡ୍‌ କରୁଥିବା ବରଗଡ଼ ଅତିରିକ୍ତ ତହସିଲଦାର ଦିବାକର ପ୍ରଧାନ କହିଛନ୍ତି ।

ସୂଚନା ଅନୁଯାୟୀ, ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକ ଏବଂ ବରାହଗୋଡ଼ା ନିକଟ ବିକାଶ ସ୍କୁଲ ଛକରେ ପୋଲିସ ନିୟମିତ ଯାଞ୍ଚ ଜାରି ରଖିଛି । ତେବେ ହଲଦୀପାଲି ଛକରେ ସମ୍ପୃକ୍ତ ପିକଅପ୍‌ ଭ୍ୟାନକୁ ଯାଞ୍ଚ କରିବାବେଳେ ସେଥିରୁ ୧୦ଲକ୍ଷ ଟଙ୍କା ମିଳିଥିଲା । ତେବେ ଖବର ଲେଖାହେବା ସୁଦ୍ଧା ପିକଅପ୍‌ ଭ୍ୟାନ ଡ୍ରାଇଭର ସେହି ଟଙ୍କା ନେଇ ସନ୍ତୋଷଜନକ ଉତ୍ତର ରଖିପାରି ନ ଥିବାବେଳେ ଗାଡ଼ି ମାଲିକଙ୍କୁ ଖବର ଦିଆଯାଇଛି। ସେ ଆସିଲେ ତାଙ୍କୁ ପଚରାଉଚୁରା କରାଯିବ ବୋଲି ପୋଲିସ କହିଛି।

Share