ଆଜି ୬ ଜିଲାକୁ ‘ଲକ୍ଷ୍ମୀ’ ବସ୍‌ ସେବା ଆରମ୍ଭ, ଉପକୃତ ହେବେ ଖୋର୍ଦ୍ଧା-ପୁରୀ-କେନ୍ଦ୍ରାପଡ଼ା-ଭଦ୍ରକ-ଯାଜପୁର-ନୟାଗଡ଼ବାସୀ

ଭୁବନେଶ୍ୱର,୧୬।୨(ଅସମାପିକା ସାହୁ): ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲାରେ ଗଡ଼ିବ ‘ଲକ୍ଷ୍ମୀ ବସ୍‌’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏସବୁ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଗାଁ ଲୋକମାନେ ସୁବିଧାରେ ଏବଂ କମ ଖର୍ଚ୍ଚରେ ଯାତ୍ରା କରିପାରିବେ। ଲକ୍ଷ୍ମୀ ବସ ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରିଥାନ୍ତି । ୫T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ ଯୋଜନା ପ୍ରସ୍ତୁତ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ଏବେ ମୋଟ ୬ଟି ଜିଲାର ୧,୩୬୩ଟି ପଞ୍ଚାୟତରେ ୧୯୮ଟି ବସ ଚାଲିଛି। ଏହା ଦ୍ୱାରା ୭୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଖୋର୍ଦ୍ଧାର ୧୫୪ଟି ପଞ୍ଚାୟତରେ ୨୨ଟି ବସ ଚାଲିଲା ଏବଂ, ୧୫.୫୦ଲକ୍ଷ ଲୋକ ଉପକୃତ ହେଲେ । ପୁରୀର ୪୩୩ଟି ପଞ୍ଚାୟତରେ ୪୪ଟି ବସ ଚାଲିଲା ଏବଂ ୧୪ ଲକ୍ଷ ୬୦ ହଜାର ଲୋକ ଉପକୃତ ହେଲେ । କେନ୍ଦ୍ରାପଡାର ୧୯୬ଟି ପଞ୍ଚାୟତରେ ୩୭ଟି ବସ ଚାଲିଲା ଏବଂ ୧୧ ଲକ୍ଷ ୩୭ ହଜାର ଲୋକ ଉପକୃତ ହେଲେ । ଭଦ୍ରକର ୧୫୮ଟି ପଞ୍ଚାୟତରେ ୨୫ଟି ବସ ଚାଲିଲା ଏବଂ ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ ହେଲେ। ଯାଜପୁରର ୨୩୩ଟି ପଞ୍ଚାୟତରେ ୩୯ଟି ବସ ଚାଲିଲା ଏବଂ ୧୩ ଲକ୍ଷ ୭୦ ହଜାର ଲୋକ ଉପକୃତ ହେଲେ। ସେହିଭଳି ନୟାଗଡର ୧୮୯ଟି ପଞ୍ଚାୟତରେ ୩୧ଟି ବସ ଚାଲିଲା ଏବଂ ଏହା ଦ୍ୱାରା ୯ ଲକ୍ଷ ୩୪ ହଜାର ଲୋକ ଉପକୃତ ହେଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କାର୍ଯ୍ୟକ୍ରମରେ ଯାଜପୁରଠାରେ ଉପସ୍ଥିତ ପରିବହନ ମନ୍ତ୍ରୀ ଟୁକୁନି ସାହୁ, କେନ୍ଦ୍ରାପଡାରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଖୋର୍ଦ୍ଧାରୁ ‘ଆମ ଓଡିଶା, ନବୀନ ଓଡିଶା’ ସଂଯୋଜକ ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ର, ବିଧାୟକ  ରାଜେନ୍ଦ୍ର କୁମାର ସାହୁ, ପୁରୀରୁ ବିଧାୟକ  ରୁଦ୍ର ପ୍ରତାପ ମହାରଥୀ, ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା, କେନ୍ଦ୍ରାପଡାରୁ ବିଧାୟକ ଧ୍ରୁବ ଚରଣ ସାହୁ, ଭଦ୍ରକରୁ ‘ଆମ ଓଡିଶା, ନବୀନ ଓଡିଶା’ ସଂଯୋଜକ ଡ. ସଞ୍ଜୟ ଦାସ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ନୟାଗଡରୁ ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share