Categories: ଜାତୀୟ

୧୯୯୦ରେ ରାମ ରଥଯାତ୍ରାର ମୁଖ୍ୟ ପୁରୋଧା ସାଜିଥିଲେ ଆଡଭାନୀ, ଦେଇଥିଲେ ‘ମନ୍ଦିର ଓ୍ବହିଁ ବନାଏଗେଁ’ ସ୍ଲୋଗାନ…

ନୂଆଦିଲ୍ଲୀ,୩।୨: ଭାରତୀୟ ଜନତା ପାର୍ଟୀ(ଭାଜପା)ର ବରିଷ୍ଠ ନେତା ତଥା ରାମ ମନ୍ଦିର ଆନ୍ଦୋଳନର ପୁରୋଧା ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯିବ। ଏନେଇ ଘୋଷଣା ହେବା ପରେ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଭାଜପାର ସଂସ୍ଥାପକ ସଦସ୍ୟ ଆଡଭାନୀ ଦଳକୁ ଜନମାନସରେ ପହଞ୍ଚାଇବାକୁ ନେଇ ବଡ଼ ଯୋଗଦାନ ଦେଇଥିଲେ। ବିଶେଷକରି ତାଙ୍କର ରାମ ମନ୍ଦିର ଆନ୍ଦୋଳନ ଇତିହାସ ରଚିଥିଲା। ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଛତ୍ରଛାୟା ତଳେ ଆଗକୁ ବଢ଼ିଥିଲେ।

ଲାଲକୃଷ୍ଣ ଆଡଭାନୀ ୯୦ ଦଶକରେ ରାମ ମନ୍ଦିର ଆନ୍ଦୋଳନ ଆରମ୍ଭ କରିଥିଲେ। ତାଙ୍କ ନେତୃତ୍ୱରେ ୧୯୯୦ରେ ଗୁଜରାଟର ସୋମନାଥରୁ ରାମ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ‘ମନ୍ଦିର ବହିଁ ବନାଏଗେଁ’ ସ୍ଲୋଗାନ ଦେଇ ଆଡଭାଣୀ ଆନ୍ଦୋଳନକୁ ସାଧାରଣଲୋକଙ୍କ ପାଖରେ ପହଞ୍ଚାଇଥିଲେ। ଏହାର ଲାଭ ଦଳକୁ ମିଳିଥିଲା। ପ୍ରାରମ୍ଭିକ ଦିନରେ ୨ ଆସନ ଜିତିଥିବା ଦଳ ଦୁଇ ଦଶକ ମଧ୍ୟରେ ଦେଶର ଶାସନଭାର ସମ୍ଭାଳିଥିଲା। ଏପରିକି ଭାଜପା ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ହୋଇଥିଲା।

ବର୍ତ୍ତମାନ ସମୟରେ ଭାଜପା ଦେଶର ସବୁଠାରୁ ବଡ଼ ପାର୍ଟି। ହେଲେ ୮୦ ଦଶକରେ ଲୋକ ସଭାରେ ଭାଜପାର ମାତ୍ର ୨ ଏମ୍‌ପି ଥିଲେ। ରାମ ମନ୍ଦିର ଆନ୍ଦୋଳନ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରା ଦଳକୁ ସାରା ଦେଶରେ ଲୋକପ୍ରିୟ କରିଥିଲା। ଏହାପରେ ଭାଜପା ସରକାର ଗଢ଼ିଥିଲା। ୧୯୯୬ରେ ପ୍ରଥମ ଥର ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଭାଜପା ସରକାର ଗଢ଼ିଥିଲା।

Share