କାଠମାଣ୍ଡୁ ଶୁଟଆଉଟରେ ଜାଲ ନୋଟ ବ୍ୟବସାୟୀ ଲାଲ ମହମ୍ମଦ ନିହତ

କାଠମାଣ୍ଡୁ,୨୦ ।୯: ନେପାଳର ରାଜଧାନୀ କାଠମାଣ୍ଡୁରେ ଖୋଲାଖୋଲି ଭାବେ ଗୁଳି ମାରି ଯେଉଁ ବ୍ୟକ୍ତିଙ୍କୁ ମାରି ଦିଆଯାଇଛି ସେ ହେଉଛନ୍ତି ଭାରତୀୟ ଜାଲ ନୋଟର ବ୍ୟବସାୟୀ ଲାଲ ମହମ୍ମଦ ଓରଫ ମହମ୍ମଦ ଦର୍ଜି । ନେପାଳରେ ଥିବା ଦାଉଦ ଇବ୍ରାହିମଙ୍କ ନିକଟତମ ୟୁନୁସ ଅନସାରୀଙ୍କ ଗ୍ୟାଙ୍ଗରେ ରହି ଲାଲ ମହମ୍ମଦ ଓରଫ ମହମ୍ମଦ ଦର୍ଜି ନେପାଳ ଦେଇ ପାକିସ୍ତାନରୁ ଭାରତକୁ ନକଲି ଭାରତୀୟ ନୋଟ ପଠାଉଥିଲେ । ନକଲି ନୋଟ କାରବାର ସମୟରେ କମିଶନ ଟଙ୍କାକୁ ନେଇ ଏମାନେ ନିଜ ନିଜ ଭିତରେ ଟଣାଭିଡା ହେଉଥିଲେ । ଏହି ଜାଲ ନୋଟ କାରବାରେ ଜଡିତ ଥିବା ନେପାଳର ବାରା ଜିଲାର ବଳରାମ ପଟୁୱାଙ୍କୁ କାଠମାଣ୍ଡୁରେ ହିଁ ଗୁଳିକରି ହତ୍ୟା କରାଯାଇଥିଲା । ପୋଲିସ ରେକର୍ଡ ଅନୁଯାୟୀ, ଜୁଲାଇ ୪, ୨୦୦୭ରେ କାଠମାଣ୍ଡୁର ଅନାମନଗରରେ ନକଲି ନୋଟ ବ୍ୟବସାୟୀ ପଟୁୱାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ଲାଲ ମହମ୍ମଦ ସମେତ ନେପାଳର ଡି କମ୍ପାନୀର ଶାର୍ପ ଶୁଟର ମୁନ୍ନା ଖାଁ ଓରଫ ଇଲତାଫ ହୁସେନ ଅନସାରୀଙ୍କୁ ପୋଲିସ ଗିରଫ କରିଥିଲା । କୋର୍ଟ ଉଭୟଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଲାଲ ମହମ୍ମଦଙ୍କ ପରିବାରର କହିବା କଥା ହେଲା ୭ ଜୁଲାଇ ୨୦୧୭ରେ ସେ ଜେଲରୁ ମୁକୁଳି ଆସିଥିଲେ । ଏହାପରେ ସେ କାଠମାଣ୍ଡୁର ଗୋଠାଟାରରେ ଗାର୍ମେଣ୍ଟ ବ୍ୟବସାୟ ଆରମ୍ଭ କରିଥିଲେ । ଆପରାଧିକ ପୃଷ୍ଠଭୂମି ଥିବାରୁ ଗ୍ୟାଙ୍ଗୱାରରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି । ଜାଲ ନୋଟ କାରବାର ସମୟରେ ଲାଲ ମହମ୍ମଦ ମୋହମ୍ମଦ ଦର୍ଜି, ଲାଲ ଅନସାରୀ, ଲାଲ ଥାପାଜୀ ସମେତ ଅନେକ ନାମରେ ପରିଚିତ ଥିଲେ । ଲାଲ ମହମ୍ମଦଙ୍କ ହତ୍ୟା ପରେ ପୁଣିଥରେ ଜାଲ ନୋଟ ବ୍ୟବସାୟୀଙ୍କ ମଧ୍ୟରେ ଗ୍ୟାଙ୍ଗୱାର ଆରମ୍ଭ ହୋଇଯିବା ଓ ନିଜ ନିଜ ମଧ୍ୟରେ କନ୍ଦଳ ଯୋଗୁ ପରସ୍ପରକୁ ହତ୍ୟା କରିବା ଭଳି ପୁରୁଣା ଘଟଣା ପୁଣିଥରେ ତାଜା ହୋଇଯାଇଛି ।

Share