Categories: ଖେଳ

ଭାରତ ପକ୍ଷରୁ ଟେଷ୍ଟରେ ପ୍ରଥମ ଶତକ ମାରିଥିଲେ ଏହି କ୍ରିକେଟର୍‌

ଡିସେମ୍ବର ୧୭ ଭାରତୀୟ କ୍ରିକେଟ ପାଇଁ ଏକ ବିଶେଷ ଦିନ। ୮୮ ବର୍ଷ ପୂର୍ବେ ଅର୍ଥାତ୍‌୧୯୩୩ ମସିହାରେ, ଭାରତ ପାଇଁ ପ୍ରଥମ ଟେଷ୍ଟ ଶତକ ମାରିଥିଲେ ମହାନ ଖେଳାଳି ଲାଲା ଅମରନାଥ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଏହି ମ୍ୟାଚ୍‌ରେ ତାଙ୍କର ଟେଷ୍ଟ ଡେବ୍ୟୁ କରୁଥିଲେ। ଯଦିଓ ଭାରତୀୟ ଦଳ ଏହି ମ୍ୟାଚରେ ଇଂଲଣ୍ଡଠାରୁ ୯ ଉଇକେଟରେ ପରାସ୍ତ ହୋଇଥିଲା। ସରକାରୀ ଭାବେ କ୍ରିକେଟ ଇତିହାସରେ ପ୍ରଥମ ଟେଷ୍ଟ ମ୍ୟାଚ ୧୮୭୭ ମସିହାରେ ଖେଳାଯାଇଥିଲା କିନ୍ତୁ ୧୯୩୨ ମସିହାରେ ଭାରତୀୟ ଦଳ ଏହାର ପ୍ରଥମ ଟେଷ୍ଟ ଖେଳିଥିଲା। ୧୯୩୩ ମସିହାରେ ଭାରତର ପ୍ରଥମ ଟେଷ୍ଟ ଶତକ ସ୍କୋର କରାଯାଇଥିଲା। ମୁମ୍ବାଇରେ କମଲ ଲାଲା ଅମରନାଥ ଏହି ଶତକ ସ୍କୋର କରିଥିଲେ। ଇଂଲଣ୍ଡ ବିପକ୍ଷ ସେହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ସେ ୧୭ ଡିସେମ୍ବରରେ ଏହି ସଫଳତା ହାସଲ କରିଥିଲେ । ତେବେ ସେତେବେଳେ ଭାରତ ସ୍ବାଧୀନ ନ ଥିଲା।
ସି.କେ ନାଇଡୁଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତ ଏହି ମ୍ୟାଚର ପ୍ରଥମ ଇନିଂସରେ ୨୧୯ ରନ ସଂଗ୍ରହ କରିଥିଲା। ଏହା ପରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୪୩୮ ରନ ସଂଗ୍ରହ କରିଥିଲା। ଭାରତର ଦ୍ୱିତୀୟ ଇନିଂସ ୨୫୮ ରନରେ ଅଲଆଉଟ୍‌ ହୋଇ ଇଂଲଣ୍ଡକୁ ଜିତିବା ପାଇଁ ମାତ୍ର ୪୦ ରନର ଲକ୍ଷ୍ୟ ଦେଇଥିଲା। ଇଂଲଣ୍ଡ ଗୋଟିଏ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଲାଲା ଅମରନାଥ ଏକ ଶତକ ହାସଲ କରିଥିଲେ। ସେ ୧୧୮ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏଥିରେ ୨୧ ଟି ଚୌକା ସାମିଲ ଥିଲା।
୧୯୫୨-୫୩ ମସିହାରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ ଜିତିଥିଲା। ଟିମ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ଏହି ଟେଷ୍ଟ ସିରିଜ ଖେଳିଛି। ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ପାକିସ୍ତାନ ଦଳ ଭାରତକୁ ଆସିଥିଲା ଏବଂ ସେତେବେଳେ ଟିମ ଇଣ୍ଡିଆର ଅଧିନାୟକ ଲାଲା ଅମରନାଥ ଥିବାବେଳେ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ଅବଦୁଲ କରଦାର ଥିଲେ। ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ପାକିସ୍ତାନକୁ ୨-୧ରେ ପରାସ୍ତ କରିଥିଲା।
ଏହା ପରେ ଲାଲା ଅମରନାଥ ଆଉ ୨୩ଟି ଟେଷ୍ଟ ମ୍ୟାଚ ଖେଳିଥିଲେ କିନ୍ତୁ ନିଜ ବ୍ୟାଟ ସହିତ ଆଉ ଏକ ଶତକ ସ୍କୋର କରି ନ ଥିଲେ।ଟେଷ୍ଟ କ୍ରିକେଟରେ ଲାଲାଙ୍କ ନାମରେ ଏହା ଏକମାତ୍ର ଟେଷ୍ଟ ଶତକ ଥିଲା। ସେ ତାଙ୍କ ଟେଷ୍ଟ କ୍ୟାରିୟରରେ ମୋଟ ୮୭୮ ରନ ସ୍କୋର କରିଥିଲେ। ତାଙ୍କ ନାମରେ ସମୁଦାୟ ୧ ଶତକ ଏବଂ ୪ ଅର୍ଦ୍ଧ ଶତକ ଅଛି। ଏହା ବ୍ୟତୀତ ସେ ନିଜ ଟେଷ୍ଟ କ୍ୟାରିୟରରେ ୪୫ ଉଇକେଟ ନେଇଥିଲେ।

Share