ମସ୍କୋ,୨୬।୧୨: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରୁଷିଆ ଗସ୍ତରେ ଅଛନ୍ତି। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ତଥା ଅନ୍ୟାନ୍ୟ ବରିଷ୍ଠ ନେତାଙ୍କୁ ଭେଟିବା ପୂର୍ବରୁ ଏସ ଜୟଶଙ୍କର କହିଛନ୍ତି, ଭୌଗୋଳିକ ତଥା ରଣନୈତିକ ନିର୍ଭରଶୀଳତା ହେତୁ ଭାରତ ଏବଂ ରୁଷିଆର ସମ୍ପର୍କ ସର୍ବଦା ଦୃଢ ରହିବ। ଜୟଶଙ୍କର ସୋସିଆଲ ମିଡିଆରେ ଶେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି, ସେ ଉଭୟ ଦେଶରେ ସଂଯୋଗ ବୃଦ୍ଧି, ଆଞ୍ଚଳିକ ଦ୍ୱନ୍ଦ୍ୱ ଇତ୍ୟାଦି ପ୍ରସଙ୍ଗରେ ରୁଷିଆର ନେତାଙ୍କ ସହ ଆଲୋଚନା କରିବେ।
କହିରଖୁଛୁ ଯେ, ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ପରେ ସାରା ବିଶ୍ୱରେ ରୁଷିଆର ଏହି ପଦକ୍ଷେପ ସମାଲୋଚନା ହୋଇଥିଲା, କିନ୍ତୁ ପ୍ରବଳ ଚାପ ସତ୍ତ୍ୱେ ଭାରତ ଏହାର ପୁରୁଣା ବନ୍ଧୁ ଦେଶକୁ ସମାଲୋଚନା କରି ନାହିଁ। ଯଦିଓ ଭାରତ ଏହା ଯୁଦ୍ଧ ବିରୁଦ୍ଧରେ ସ୍ପଷ୍ଟ କରିଛି, ତଥାପି ଭାରତୀୟ ନେତୃତ୍ୱ ରୁଷିଆକୁ ଖୋଲାଖୋଲି ସମାଲୋଚନା କରିବାକୁ ବାରଣ କରିଥିଲେ। କୂଟନୈତିକ ଏବଂ କଥାବାର୍ତ୍ତା ମାଧ୍ୟମରେ ଏହି ବିବାଦର ସମାଧାନ ହେବା ଉଚିତ୍ ବୋଲି କହିଥିଲେ। ୟୁକ୍ରେନ ସହିତ ଯୁଦ୍ଧ ପରେ ଭାରତ ବହୁ ପରିମାଣର ରୁଷିଆ ଅଶୋଧିତ ତୈଳ ଆମଦାନୀ କରିଛି।