Categories: ଜାତୀୟ

ଅଧ୍ୟକ୍ଷ ପଦ ଛାଡିବେ ଲଲନ ସିଂ, ନୀତୀଶଙ୍କୁ ମିଳିବ ଜେଡିୟୁର ଦାୟିତ୍ୱ!

ପାଟନା,୨୯।୧୨: ଜନତା ଦଳ (ୟୁନାଇଟେଡ)ରେ ସାଂଗଠନିକ ପରିବର୍ତ୍ତନକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ସୂତ୍ର ଅନୁଯାୟୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ ଜେଡିୟୁ ଅଧ୍ୟକ୍ଷ ପଦ ଛାଡିବେ ଏବଂ ନୀତୀଶ କୁମାର ଏହି ପଦ ସମ୍ଭାଳିବେ। ଜାତୀୟ ପଦାଧିକାରୀଙ୍କ ବୈଠକରେ ଯୋଗଦେବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଲଲନ ସିଂ ଗୁରୁବାର ଦିଲ୍ଲୀର ଯନ୍ତରମନ୍ତରରେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଦଳ ସୂତ୍ର ଅନୁଯାୟୀ, ଶୁକ୍ରବାର ଦଳର ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ ତଥା ପରିଷଦ ବୈଠକରେ ଲଲନ ଜେଡିୟୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର ସମ୍ଭାବନାକୁ ଏଡ଼ାଇ ଦେଇ ନାହାଁନ୍ତି। ଦଳର ନେତା କହିଛନ୍ତି ଯେ, ନୀତୀଶ କୁମାର ଏହି ଦାୟିତ୍ୱ ସମ୍ଭାଳି ପାରନ୍ତି। ତେବେ ଜେଡିୟୁର ଉଭୟ ବରିଷ୍ଠ ନେତାଙ୍କଠାରୁ ଏ ବାବଦରେ କୌଣସି ନିଶ୍ଚିତକରଣ କରାଯାଇ ନାହିଁ ବୋଲି ସେ କହିଛନ୍ତି। ଏହାପୂର୍ବରୁ ଲଲନ ଏହି ପଦରୁ ଇସ୍ତଫା ଦେଇଥିବା ଖବରକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, କେନ୍ଦ୍ରରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ନିର୍ଦ୍ଦେଶରେ ଗଣମାଧ୍ୟମ ଦ୍ୱାରା ମିଛ ଖବର ବିସ୍ତାର କରୁଛନ୍ତି। ଦଳରେ କୌଣସି ବିବାଦ ନାହିଁ ବୋଲି ସେ କହିଛନ୍ତି।

Share