Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ ଘେରିଲେ ଲାଲୁ, କହିଲେ ଆରଏସଏସକୁ କରାଯାଉ ବ୍ୟାନ୍‌…

ପାଟନା, ୨୮।୯ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା ପରେ ଏବେ ଦେଶରେ ରାଜନୈତିକ ସ୍ଥିତିରେ ଉଷ୍ଣତା ଭରିବା ଆରମ୍ଭ ହୋଇଛି। ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଆରଏସଏସକୁ ମଧ୍ୟ ନିଷେଧ କରାଯିବା ଉଚିତ।

ଲାଲୁ ଯାଦବ କହିଛନ୍ତି ଉଭୟ ପିଏଫଆଇ ଏବଂ ଆରଏସଏସର ତଦନ୍ତ କରାଯିବା ଜରୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରି ସେ କହିଛନ୍ତି ଯେ ବେକାରୀ ଏବଂ ମୁଦ୍ରାସ୍ଫୀତି କାରଣରୁ ଦେଶର ଅବସ୍ଥା ଆହୁରି ଖରାପ ହୋଇଛି। ଦେଶରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଘୃଣା ସୃଷ୍ଟି କରିବାର ପ୍ରୟାସ କରା ଯାଉଛି। ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ବିସ୍ତାର କରିବାକୁ ଚେଷ୍ଟା କରାଯାଉଛି। ଏଭଳି ସରକାରକୁ ହଟାଇବାକୁ ପଡିବ।

ସେହିପରି ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ ବିଧାୟକ ଏମ.କେ ମୁନିର ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ସିମିକୁ ମଧ୍ୟ ନିଷେଧ କରାଯାଇଥିଲା କିନ୍ତୁ କୌଣସି ସୁଫଳ ମିଳି ନଥିଲା। ଏଭଳି ପରିସ୍ଥିତିରେ କେବଳ ନିଷେଧ କରିବା ଠିକ ପଦକ୍ଷେପ ନୁହେଁ।

Share