Categories: ଜାତୀୟ

ସ୍ବାଧୀନତା ଆନ୍ଦୋଳନ ନୁହେଁ, ଗୋଖାଦ୍ୟ ଦୁର୍ନୀତିରେ ଜେଲ୍‌ ଯାଇଛନ୍ତି ଲାଲୁ

ନୂଆଦିଲ୍ଲୀ,୨୨।୨: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ନେଇ ଏବେ ରାଜନୀତି ସରଗରମ ରହିଛି। ଟୁଇଟରରେ ଲାଲୁଙ୍କୁ ନେଇ ଅନେକ ନେତା ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଇତିମଧ୍ୟରେ ଦିଲ୍ଲୀ ଉତ୍ତମ ନଗର ଆସନରୁ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ଥିବା ନରେଶ ବଲିଆନ ମଧ୍ୟ ଲାଲୁଙ୍କୁ ନେଇ ଏକ ଟୁଇଟ କରିଛନ୍ତି। ତାଙ୍କୁ ମିଳିଥିବା ଦଣ୍ଡାଦେଶକୁ ନେଇ ନରେଶ ଟୁଇଟରରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ଲାଲୁଙ୍କ ଝିଅ ରାଜ ଲକ୍ଷ୍ମୀ ଯାଦବ ନରେଶଙ୍କ ଉପରେ ବର୍ଷିଛନ୍ତି। ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଡୋରଣ୍ଡା ଟ୍ରେଜେରୀ ମାମଲାରେ କୋର୍ଟ ଲାଲୁଙ୍କୁ ସୋମବାର ଦଣ୍ଡାଦେଶ କରିଛନ୍ତି। ଏଥିସହ ସିବିଆଇର ସ୍ବତନ୍ତ୍ର କୋର୍ଟ ଲାଲୁଙ୍କ ଉପରେ ୬୦ଲକ୍ଷ ଜରିମାନା ମଧ୍ୟ ଲଗାଇଛନ୍ତି। ଏହି ପ୍ରସଙ୍ଗରେ ଏଏପି ବିଧାୟକ ନରେଶ ବଲିଆନ ଲାଲୁଙ୍କୁ ନେଇ ଏକ ଟୁଇଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ଗୋଖାଦ୍ୟ ଦୁର୍ନୀତିରେ ଲାଲୁଙ୍କୁ ୫ବର୍ଷ ଜେଲ୍‌ ଓ ୬୦ଲକ୍ଷ ଟଙ୍କା ଜରିମାନା ପାଇଁ ହାର୍ଦ୍ଦିକ ଅଭିନନ୍ଦନ। ଜେଲ୍‌ରେ ଲାଲୁ ସୁସ୍ଥ ରୁହନ୍ତୁ, ଏହାହିଁ ଭଗବାନଙ୍କ ନିକଟରେ ପ୍ରାର୍ଥନା। ଏଥିସହ ଲାଲୁଙ୍କଠାରୁ କିଛି ଶିଖିବାକୁ ନରେଶ ଅନ୍ୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ନୀରିହ ପଶୁଙ୍କ ଖାଦ୍ୟ ଖାଆନ୍ତୁ ନାହିଁ। ଅନ୍ୟପଟେ ଦଣ୍ଡାଦେଶ ପରେ ଲାଲୁ ମଧ୍ୟ ଏକ ଟୁଇଟ କରିଛନ୍ତି। ତେବେ ଲାଲୁଙ୍କ ଏହି ଟୁଇଟରେ ରିଟୁଇଟ କରି ନରେଶ ଲେଖିଛନ୍ତି, ସ୍ବାଧୀନତା ଆନ୍ଦୋଳନରେ ନୁହେଁ, ନୀରିହ ପଶୁଙ୍କ ଖାଦ୍ୟ ଖାଇ ଜେଲ୍‌ ଯାଇଛ। ଡ୍ରାମା ବନ୍ଦ କର, ଆପଣଙ୍କ ଭଳି ଭ୍ରଷ୍ଟାଚାର ରାଜନେତାଙ୍କ ଲାଗି ବିହାର ବଦ୍‌ନାମ ହୋଇଛି। ତେବେ ନରେଶଙ୍କ ଏଭଳି ମନ୍ତବ୍ୟ ଉପରେ ରାଜ ଲକ୍ଷ୍ମୀ ମଧ୍ୟ ରିଟୁଇଟ କରି ଲେଖିଛନ୍ତି, ସତରେ ଏହା କ’ଣ ଆପଣଙ୍କ କାମ। ଅରବିନ୍ଦ କେଜ୍ରିଓ୍ବାଲ ଆପଣ ଭଳି ବିଧାୟକଙ୍କୁ କିଭଳି ସହ୍ୟ କରିଛନ୍ତି। ଏଭଳି କରିବାକୁ ଆପଣଙ୍କୁ କେତେ ଟଙ୍କା ମିଳେ, ପ୍ରଥମେ ଦେଶ ପାଇଁ କିଛି କର ବୋଲି କହି ନରେଶଙ୍କ ଉପରେ ବର୍ଷିଛନ୍ତି ରାଜ ଲକ୍ଷ୍ମୀ।

Share