Categories: ଜାତୀୟ

ପିତାଙ୍କ ଆଶୀର୍ବାଦ ପାଇବାକୁ ତିନିଥର ଫୋନ୍ କଲେ ତେଜସ୍ୱୀ

ରାଞ୍ଚି,୯ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେ ଆରମ୍ଭ ହୋଉଛି କାଉଣ୍ଟଡାଉନ୍ । ଅନ୍ୟପଟେ ମହାମେଣ୍ଟର ନେତା ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କର ସୋମବାର ଜନ୍ମଦିନ ପାଳନ କରାଯାଇଛି । ଏହି ଅବସରରେ ଦଳୀୟ ନେତା, କର୍ମୀ, ପ୍ରଶଂସକ, ବନ୍ଧୁ, ଶୁଭେଚ୍ଛୁ ସମସ୍ତଙ୍କ ନିକଟରୁ ସେ ପାଇଛନ୍ତି ଶୁଭେଚ୍ଛା ବାର୍ତ୍ତା । ହେଲେ ପିତା ଲାଲୁ ପ୍ରସାଦ ଯାଦବ ପାଖରେ ନ ଥିବାରୁ ଫୋନ ଯୋଗେ ତେଜସ୍ୱୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି । ଏହାସହ ଲାଲୁ କହିଛନ୍ତି ଏଥର ମୋ ତରଫରୁ ନୁହେଁ ଜନତା ଦେବେ ତେଜସ୍ୱୀଙ୍କୁ ବଡ ଜନ୍ମଦିନ ଉପହାର । ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନକୁ ନେଇ କରାଯାଇଥିବା ଏକ୍‌ଜିଟ୍ ପୋଲ୍‌ରେ ମହାମେଣ୍ଟ ସରକାର ଗଠନ କରିବ ବୋଲି ଅନୁମାନ କରାଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଲାଲୁ କହିଛନ୍ତି ତେଜସ୍ୱୀଙ୍କୁ ଜନତା ଦେବେ ବଡ ଉପହାର । ତେଜସ୍ୱୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ବେଳେ ଏକ୍‌ଜିଟ୍ ପୋଲ୍‌ର ଆକଳନ ଯଦି ସତ ହେଲା ତେବେ ନିଶ୍ଚିତ ଭାବେ ତେଜସ୍ୱୀଙ୍କୁ ଜନତା ଏକ ବଡ ଉପହାର ଦେବେ ବୋଲି କୁହାଯାଉଛି । ତେବେ ଜନ୍ମଦିନରରେ ତେଜସ୍ୱୀ ପିତାଙ୍କର ଆଶୀର୍ବାଦ ପାଇବାକୁ ୩ ଥର ଫୋନ୍ କରିଥିବା ଜଣାପଡିଛି । ଲାଲୁ ପ୍ରସାଦ ଯାଦବ ଏବେ ରାଞ୍ଚିର ଏକ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତେଜସ୍ୱୀ ଯେତେବେଳେ ତାଙ୍କୁ ଫୋନ୍ କରିଛନ୍ତି ସେତେବେଳେ ସେ ଶୋଇ ପଡିଥିବାରୁ ପିତାଙ୍କ ସହ ତାଙ୍କର ଯୋଗାଯୋଗ ହୋଇପାରି ନ ଥିଲା । ଏମିତିକି ରାତି ୧୨ଟା ଓ ସକାଳ ୬ଟାରେ ବି ସେ ଫୋନ୍ କରି ପିତାଙ୍କ ସହ କଥା ହୋଇ ପାରି ନ ଥିଲେ । ଶେଷରେ ଲାଲୁ ନିଜେ ତାଙ୍କ ତରଫରୁ ଫୋନକରି ତେଜସ୍ୱୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ଜନତା ମଙ୍ଗଳବାର ତାଙ୍କୁ ବଡ ଉପହାର ଦେବେ ବୋଲି କହିଥିଲେ ।

Share