Categories: ଜାତୀୟ

ଲାଲୁଙ୍କ ନିକଟତମ ବନ୍ଧୁ ଭୋଲା ଯାଦବ ଗିରଫ

ପାଟନା,୨୭।୭: କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି(ସିବିଆଇ) ବୁଧବାର ଲାଲୁ ପ୍ରସାଦ ଯାଦବଙ୍କ ପୂର୍ବତନ ଓଏସ୍‌ଡି ତଥା ନିକଟତମ ବନ୍ଧୁ ଭୋଲା ଯାଦବଙ୍କୁ ଗିରଫ କରାଯାଇଛି। ରେଲଓ୍ବେ ନିଯୁକ୍ତି ସ୍କାମ ସହ ଜଡିତ ଏକ ମାମଲାରେ ଏହି ଗିରଫ କରାଯାଇଛି। କେବଳ ଏତିକି ନୁହେଁ, ବିହାରର ପାଟନା ଏବଂ ଦରଭଙ୍ଗାର ଚାରିଟି ସ୍ଥାନ ଉପରେ ସିବିଆଇ ଚଢ଼ାଉ କରିଛି। ସୂଚନାଯୋଗ୍ୟ, ଭୋଲା ଯାଦବ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ଯାଦବଙ୍କ ଓଏସ୍‌ଡି ଥିଲେ। ସେହି ସମୟରେ ଲାଲୁ ଯାଦବ କେନ୍ଦ୍ର ରେଳ ମନ୍ତ୍ରୀ ଥିଲେ। ସେତେବେଳେ ରେଲଓ୍ବେରେ ଏକ ନିଯୁକ୍ତି ସ୍କାମ ହୋଇଥିଲା। ଏହି ସ୍କାମର କିଙ୍ଗପିନ ଭୋଲା ଯାଦବ ରହିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ବେଳେ ଚାକିରି ପାଇବା ବଦଳରେ ଜମି ଓ ପ୍ଲଟ ନିଆଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ଅନୁସନ୍ଧାନ ପରେ ସିବିଆଇ ଲାଲୁ ଯାଦବ, ରାବ୍ରି ଦେବୀ, ମିସା ଯାଦବ, ହେମା ଯାଦବ ଏବଂ ଏଭଳି କେତେକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଯେଉଁମାନଙ୍କୁ ପ୍ଲଟ କିମ୍ବା ସମ୍ପତ୍ତି ବଦଳରେ ଚାକିରି ଦିଆଯାଇଥିଲା। ଏହାପୂର୍ବରୁ ମେ’ରେ ସିବିଆଇ ଏହି ମାମଲାରେ ଲାଲୁ ଯାଦବଙ୍କ ସହ ଜଡିତ ୧୭ଟି ସ୍ଥାନ ଉପରେ ଚଢ଼ାଉ କରିଥିଲା। ସିବିଆଇର ଏହି ଚଢ଼ାଉ ପ୍ରାୟ ୧୪ ଘଣ୍ଟା ଧରି ଚାଲିଥିଲା।

Share