ବେଜିଂ-ସାଂଘାଇରେ ହାହାକାର, ଘରେ ସାମଗ୍ରୀ ଡେଲିଭରୀ ମନା…

ବେଜିଂ, ୧୦।୫ : କରୋନା ସଂକ୍ରମଣ ଯୋଗୁଁ ଚାଇନାରେ ସଙ୍କଟ ଦେଖାଦେଇଛି। ରାଜଧାନୀ ବେଜିଂ ଏବଂ ବାଣିଜି୍ୟକ ସହର ସାଂଘାଇରେ କଟକଣା କଡାକଡି କରାଯାଇଛି। ଫଳରେ ଲୋକଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଛି। ଘରେ ବନ୍ଦୀ ଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଡେଲିଭରୀ ମଧ୍ୟ ବନ୍ଦ କରି ଦିଆଯାଇଛି। ଲୋକେ ଭୋକରେ ଛଟପଟ ହେଉଛନ୍ତି।

ସରକାରଙ୍କ ଶୂନ କୋଭିଡ୍‌ ନିୟମ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ମେ’ ୯ରେ, ଚାଇନାରେ ୩,୪୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ୩୫୭ ଜଣଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା ଏବଂ ୩୧୧୮ ଜଣଙ୍କଠାରେ କରୋନାର କୌଣସି ଲକ୍ଷଣ ମିଳି ନ ଥିଲା। ଚାଇନାରେ ଏପର୍ଯ୍ୟନ୍ତ କରୋନାରେ ଆକ୍ରାନ୍ତ ହୋଇ ୫୧୯୧ ଜଣଙ୍କର ମୃତ୍ୟୁ ଘଟିଛି।

ଏଥର ଚାଇନା କରୋନା ସଂକ୍ରମଣ ରୋକିବାରେ ପଛରେ ପଡିଥିବା ଜଣାପଡିଛି। ଏହାର ଶୂନ କୋଭିଡ ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ସାଂଘାଇରେ ଦେଢ଼ ମାସ ଧରି ଲକଡାଉନ ବଳବତ୍ତର ରହିଛି। ସଂକ୍ରମଣକୁ ରୋକିବା ପାଇଁ ପ୍ରତିବନ୍ଧକକୁ କଡାକଡି କରାଯାଇଛି। ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା ହୋଇନାହିଁ। ସାଂଘାଇର ୧୬ ଟି ଜିଲ୍ଲାର ଚାରି ଜିଲାକୁ ସପ୍ତାହ ଶେଷରେ ନୋଟିସ ଦିଆଯାଇଥିଲା ଯେ ଲୋକେ ନିଜ ଘର ଛାଡି ପାରିବେ ନାହିଁ । ସେମାନେ କୌଣସି ସାମଗ୍ରୀର ଡେଲିଭରୀ ମଧ୍ୟ ନେଇ ପାରିବେ ନାହିଁ। ପୂର୍ବରୁ ଆବାସିକ ଅଞ୍ଚଳରେ ବୁଲିବାକୁ ଅନୁମତି ଦିଆଯାଇଥିଲା। ମାତ୍ର ଏବେ ଏହାକୁ ବନ୍ଦ କରାଯାଇଛି।

ସାଂଘାଇରେ ଏହି ନୂତନ ପ୍ରତିବନ୍ଧକକୁ ବିରୋଧ କରାଯାଉଛି। ଅନ୍ୟପକ୍ଷରେ ବେଜିଂରେ ଏପର୍ଯ୍ୟନ୍ତ ସବୁଠାରୁ କଠୋର ପ୍ରତିବନ୍ଧକ ଘୋଷଣା କରାଯାଇଛି। ଦକ୍ଷିଣ-ପଶ୍ଚିମ ବେଜିଂରେ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଲୋକଙ୍କୁ ଘରୁ କାମ କରିବାକୁ କୁହାଯାଇଛି। ଜନସାଧାରଣ ପରିବହନ ମଧ୍ୟ ବନ୍ଦ ରହିଛି। ଅନେକ କୋଠା ଏବଂ ପାର୍କକୁ ମଧ୍ୟ ସିଲ କରାଯାଇଛି।

କରୋନାର ନୂଆ ଲହର ଦ୍ୱାରା ଚାଇନାର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଦେଶର ରପ୍ତାନି ଅଭିବୃଦ୍ଧି ପ୍ରାୟ ଦୁଇ ବର୍ଷ ମଧ୍ୟରେ ସବୁଠାରୁ ଦୁର୍ବଳ ଅବସ୍ଥାରେ ରହିଛି। ଏହା ଅର୍ଥନୀତିର ଅନ୍ୟାନ୍ୟ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ପକାଇଛି।

Share