କାମାକ୍ଷା ଦେବୀଙ୍କ ସ୍ବତନ୍ତ୍ର ଶୃଙ୍ଗାର: ନବବର୍ଷରେ ବିଶ୍ୱଶାନ୍ତି ପାଇଁ ଜଳିଲା ମହାଦୀପ

ସମ୍ବଲପୁର,୧ା୧(ବ୍ୟୁରୋ): ଇଂରାଜୀ ନବବର୍ଷ ଉପଲକ୍ଷେ ସମ୍ବଲପୁର ଜିଲା ଭାଲୁପାଲି ଛକ ନିକଟସ୍ଥ ମା’ କାମାକ୍ଷା ଦେବୀଙ୍କ ମନ୍ଦିରରେ ରବିବାର ଦେବୀଙ୍କୁ ସ୍ବତନ୍ତ୍ର ଶୃଙ୍ଗାର କରାଯାଇଥିଲା। ଏଥିସହ ବିଶ୍ୱକଲ୍ୟାଣ ପାଇଁ ୧ ଲକ୍ଷ ତେଇଶ ହଜାର ମହାଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହି ବିଶେଷ ପୂଜାରେ ରାମଶଙ୍କର ସାହୁ ଓ ତାଙ୍କ ସ୍ତ୍ରୀ ଆନନ୍ଦୀନି ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ବିଶ୍ୱଶାନ୍ତି ତଥା ଭକ୍ତଙ୍କ ମନୋସ୍କାମନା ପୂର୍ଣ୍ଣ ପାଇଁ ଏହି ମହାଦୀପ ଜଳା ଯାଇଥିଲା।

ପୂଜାକାର୍ଯ୍ୟ ଚଣ୍ଡୀ ସାଧକ ପଣ୍ଡିତ ଜୟଗୋପାଳ ସୁଆର ଓ ପଞ୍ଚାନନ ଦେହୁରୀ କରିଥିଲେ। କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି, ମନ୍ଦିର ଘଣ୍ଟପାର୍ଟି, ବୈଦାରନୂଆପାଲି ଗ୍ରାମବାସୀ ସହଯୋଗ କରିଥିଲେ। ଏହାପରେ ବୈଦାର ନୂଆପାଲିର ମହିଳା କୃଷ୍ଣଗୁରୁ ଦଳ ଦ୍ୱାରା ଭଜନ ପରିବେଷଣ ହୋଇଥିଲା। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହୋଇଥିଲା ା

Share