ଜମି ବିବାଦ: ସମାଧାନ କରିବାକୁ ଆସି ନିରାଶ ହେଲେ ଅଧିକାରୀ

ଆର.ଉଦୟଗିରି,୧୭।୭(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକର ଅଡବା ଥାନା ଅଧୀନ ଚୁଡୁଙ୍ଗପୁର ପଞ୍ଚାୟତ ସିଆଳିଲଟି ଏବଂ ଗୁଲୁବା ପଞ୍ଚାୟତର ଗାଲିମେରା ଗ୍ରାମବାସୀଙ୍କ ମଧ୍ୟରେ ଜମି ବିବାଦ ଦେଖାଦେଇଛି। ବିବାଦର ସମାଧାନ ନେଇ ରବିବାର ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ମଧ୍ୟ ଏହା ସମାଧାନ ହୋଇପାରି ନାହିଁ।

ମିଳିଥିବା ସୂଚନା ମୁତାବକ, ପାରଳାଖେମୁଣ୍ଡି ଉପ-ଜିଲାପାଳ ଦୁଇ ଗ୍ରାମବାସୀଙ୍କୁ ଡକାଇ ମୋହନା ବ୍ଲକ ବୈଠକ ଗୃହରେ ଆଲୋଚନା କରିବାକୁ ସ୍ଥିର କରିଥିଲେ। ଏନେଇ ବୈଠକରେ ଗୁଲୁବା ସରପଞ୍ଚ ରେଜିନା ପ୍ରଧାନ ଏବଂ ଗ୍ରାମ ମୁଖିଆ ପ୍ରେମସନ ମାଝିଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ। ହେଲେ ସିଆଳିଲଟି ଗ୍ରାମବାସୀ ବୈଠକକୁ ଆସି ନ ଥିଲେ। ଫଳରେ କୌଣସି ସମାଧାନ ହୋଇପାରି ନାହିଁ। ଆଗାମୀ ଦିନରେ ପୁଣି ଦିନ ଧାର୍ଯ୍ୟ କରି ବୈଠକ କରାଯିବ ବୋଲି ଜଣାପଡିଛି। ବୈଠକରେ ଉପ-ଜିଲାପାଳ ଆଲୋକ କୁମାର ପ୍ରଧାନଙ୍କ ସହ ତହସିଲଦାର କିଶୋର ଚନ୍ଦ୍ର ଦାସ, ଆର.ଉଦୟଗିରି ଏସ୍‌ଡିପିଓ ଦିଲୀପ କୁମାର ନାୟକ, ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ସହ ଗାଲିମେରା ଅଞ୍ଚଳର ଚନ୍ଦନପୁର, କପେଲବାଜୁ, ଦୁରିଙ୍ଗଗୁଡା ଓ ରାମଗୁଡା ଗ୍ରାମର ଶତାଧିକ ଲୋକ ଉପସ୍ଥିତ ଥିଲେ।

Share