ବସ୍ତିବାସିନ୍ଦାଙ୍କ ଭୋଟ୍‌ ପାଇଁ ପଟ୍ଟା ବଣ୍ଟନ ନାଟକ: ମନମୋହନ

ଭୁବନେଶ୍ୱର, ୨୯ା୮(ସୁନିତ୍‌ ମିଶ୍ର):ଶିକ୍ଷିତ ଲୋକଙ୍କ ଭୋଟ୍‌ ଭାଜପା ସହିତ ଅଛି। ତେଣୁ ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କ ଭୋଟ ବିଜେଡିକୁ ଭରସା ା ଭୁବନେଶ୍ୱରରେ ଯଦି ବସ୍ତି ବାସିନ୍ଦାମାନେ ବିଜେଡିକୁ ପ୍ରତ୍ୟାଖାନ କରିବେ ତେବେ ରାଜଧାନୀରେ ସେମାନେ ୧୦% ଭୋଟ୍‌ ବି ପାଇବେନି। ତେଣୁ କେବଳ ବସ୍ତି ବାସିନ୍ଦାଙ୍କ ଭୋଟ ପାଇବା ପାଇଁ ନିର୍ବାଚନ ଆଗରୁ ଏହି ପଟ୍ଟା ବଣ୍ଟା ନାଟକ ଆରମ୍ଭ କରିଛନ୍ତି। ନିର୍ବାଚନ ଆସିଲେ ଶାସକ ଦଳର ବସ୍ତିବାସିନ୍ଦାଙ୍କ କଥା ମନେପଡେ ା ୨୩ ବର୍ଷରେ ବିଜେଡି ବସ୍ତିରେ ଗରିବ ଲୋକମାନେ କିଭଳି ରୁହନ୍ତି କେବେ ହେଲେ ବୁଲିକି ଦେଖିନି। ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କ ପାଇଁ ବାସଗୃହ ନିର୍ମାଣଲାଗି ନିଜେ ମୁଖ୍ୟମନ୍ତ୍ରୀ ଥରେ ନୁହେଁ, ୨ ଥର ଶୁଭ ଦେଇଛନ୍ତି ା କିନ୍ତୁ ତାହା କେବଳ ଫଟୋରେ ସୀମିତ ରହିଛି ା ଗୋଟିଏ ପ୍ରକଳ୍ପକୁ ବାରମ୍ବାର ଶୁଭ ଦେବା, ଗୋଟିଏ ଯୋଜନାକୁ ବାରମ୍ବାର ଘୋଷଣା କରିବାରେ ବିଜେଡି ସରକାର ଦେଶରେ ଏକ ନମ୍ବର ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମନମୋହନ କହିଛନ୍ତି, ସହରାଞ୍ଚଳରେ ବସ୍ତିବାସିନ୍ଦାଙ୍କୁ ଦିଆଯାଇଥିବା କାଗଜରେ ଏହା ଏକ ଫର୍ମ ବୋଲି ଉଲ୍ଲେଖ କରାଯାଇଛି। ଏହା ତଳକୁ ଏହା ଏକ ପ୍ରମାଣପତ୍ର ବୋଲି ଲେଖା ହୋଇଛି ା ଆଉ ଏହାକୁ ରାଜ୍ୟ ସରକାର ପଟ୍ଟା ବୋଲି କହୁଛନ୍ତି ା ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଏହା ଫର୍ମ ନା ପ୍ରମାଣପତ୍ର ନା ପଟ୍ଟା ା ରାଜ୍ୟରେ ଏକ ଜାଲିଆ ସରକାର ଚାଲିଛି ା ସହରାଞ୍ଚଳରେ ନବେ ଦଶକରେ ବସ୍ତିବାସିନ୍ଦାଙ୍କୁ ଯେଉଁ ପଟ୍ଟା ମିଳିଛି ସେଥିରେ ସ୍ପଷ୍ଟ ଭାବରେ ଲେଖାହୋଇଛି ଯେ, ବସ୍ତିବାସିନ୍ଦାଙ୍କ ଥଇଥାନ ଯୋଜନା ଅନୁସାରେ ଏହା ମିଳିଥିବା ପଟ୍ଟା ା ହେଲେ ଏବେ ସରକାର ଯେଉଁ କାଗଜ ଧରାଉଛନ୍ତି ସେଥିରେ କେଉଁଠି ବି ପଟ୍ଟା ଶବ୍ଦ ଲେଖାନାହିଁ ବୋଲି ମନମୋହନ କହିଛନ୍ତି।

Share