ନୂଆଦିଲ୍ଲୀ,୨୯।୩: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ସ୍ତ୍ରୀ ରାବ୍ରି ଦେବୀ, ଆରଜେଡି ଏମ୍ପି ତଥା ଲାଲୁଙ୍କ ଝିଅ ମିସା ଭାରତୀଙ୍କ ଜମି ବଦଳରେ ଚାକିରି ଦେବା ମାମଲାରେ ବୁଧବାର ପୁଣି ଦିଲ୍ଲୀର ରୌଜ୍ ଏଭିନ୍ୟୁ କୋର୍ଟରେ ଶୁଣାଣି ହେବ। ଏହାପୂର୍ବରୁ ମାର୍ଚ୍ଚ ୧୫ରେ କୋର୍ଟ ୫୦ ହଜାର ଟଙ୍କା ମୁଚଲିକାରେ ଜାମିନ ପ୍ରଦାନ କରିଥିଲେ।
ମାର୍ଚ୍ଚ ୬ରେ ସିବିଆଇ ଟିମ୍ ଲାଲୁଙ୍କ ପାଟନା ବାସଭବନରେ ରାବ୍ରି ଦେବୀଙ୍କୁ ପଚରାଉଚରା କରିଥିଲା। ଏହା ପରେ ମାର୍ଚ୍ଚ ୧୦ରେ ରେଳବାଇରେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ଘରେ ଇଡି ଚଢାଉ କରିଥିଲା। ଏହି ଚଢାଉରେ ନଗଦ ୧ କୋଟି ଟଙ୍କା, ଦେଢ କିଲୋରୁ ଅଧିକ ଓଜନର ସୁନା ଅଳଙ୍କାର, ଆମେରିକୀୟ ଡଲାର ଜବତ ହୋଇଥିବା ଇଡି ଟୁଇଟ୍ କରି ସୂଚନା ଦେଇଥିଲା।