କେନ୍ଦୁଝର, ଭଦ୍ରକ ଜିଲାକୁ ଭୂମି ସମ୍ମାନ

କେନ୍ଦୁଝର,(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ)/ଭଦ୍ରକ (ସନାତନ ରାଉତ), ୧୯।୭: ଭୂ-ସଂସ୍କାର ଓ ଜମିଜମା ରେକର୍ଡର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କେନ୍ଦୁଝର ଓ ଭଦ୍ରକ ଜିଲା ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଭୂମି ସମ୍ମାନ-ପ୍ଲାଟିନମ୍‌ ଆୱାର୍ଡରେ ସମ୍ମାନିତ ହୋଇଛି। ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କେନ୍ଦୁଝର ଜିଲାକୁ ଏହି ଆୱାର୍ଡ ପ୍ରଦାନ କରିଥିଲେ। ଜିଲାପାଳ ଆଶିଷ ଠାକ୍‌ରେଙ୍କ ଆଦେଶ କ୍ରମେ ଅତିରିକ୍ତ ଜିଲାପାଳ ଯଦୁମଣି ମହଲା କେନ୍ଦୁଝର ଜିଲା ତରଫରୁ ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିଥିଲେ। ଡେପୁଟି କଲେକ୍ଟର ଏମ୍‌ଡି ଫିରୋଜ ଖାନ୍‌ ଏବଂ ଡେପୁଟି କଲେକ୍ଟର ପ୍ରଭୁ କଲ୍ୟାଣ ଦାସ ସମ୍ମାନ ଗ୍ରହଣ ବେଳେ ଉପସ୍ଥିତ ଥିଲେ।
ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଏବଂ ତାଙ୍କ ଟିମ୍‌ରେ ଥିବା ଉପଜିଲାପାଳ ମନୋଜ ପାତ୍ର, ଅତିରିିକ୍ତ ଜିଲାପାଳ ଡ. ଲକ୍ଷ୍ମୀପ୍ରସାଦ ସାହୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଭୂମି ସମ୍ମାନ ପ୍ଲାଟିନମ୍‌ ସାର୍ଟିଫିକେଟ୍‌ ଗ୍ରହଣ କରିଛନ୍ତି। ସୂଚନାଥାଉ କି, ଜିଲାପାଳଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳ ମହାନ୍ତିଙ୍କ ମାର୍ଗଦର୍ଶନରେ ଜିଲାର ସମସ୍ତ ତହସିଲଦାର ଓ କର୍ମଚାରୀମାନଙ୍କ ସାମୂହିକ ଉଦ୍ୟମ ଯୋଗୁ ଏହି ଉଲ୍ଲେଖନୀୟ ସଫଳତା ମିଳିଛି।

Share