ନୂଆ ସିଭିଲ କୋର୍ଟ ପାଇଁ ଜମି ମିଳୁନି

ବଲାଙ୍ଗୀର,୨।୭(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ସହରରେ ପ୍ରତିଷ୍ଠା ହେବାକୁ ଥିବା ନୂଆ ସିଭିଲ କୋର୍ଟ କୋଠା ତିଆରି ପାଇଁ ଉପଯୁକ୍ତ ଜମି ମିଳୁନାହିଁ। ଫଳରେ ବର୍ଷ ବର୍ଷ ହେଲା ନୂଆ ସିଭିଲ କୋର୍ଟ କୋଠା ତିଆରି ହୋଇପାରୁନାହିଁ। ଏଭଳି ଅନିଶ୍ଚିତତାକୁ ନେଇ ସାଧାରଣରେ ଅସନ୍ତୋଷର ବାତାବରଣ ଦେଖାଦେଇଛି।
ପ୍ରଥମେ ନୂଆ ସିଭିଲ କୋର୍ଟ କୋଠା ତିଆରି ପାଇଁ ବିଜାଖମନ ମୌଜାର ନୂଆ ବସ ଟର୍ମିନାଲ ପାଖ ଇନ୍ଦିରାନଗର ଠାରେ ପ୍ରାୟ ୫ ଏକର ଜମି ଚିହ୍ନଟ ହୋଇଥିଲା। ବହୁ ଦିଗରୁ ଏଠାରେ ନୂଆ ସିଭିଲ କୋର୍ଟ ସୁବିଧାଜନକ ହେବ ବୋଲି କୁହାଯାଇଥିଲା। ପ୍ରସ୍ତାବିତ ସ୍ଥାନଟି ସର୍କିଟ ହାଉସଠାରୁ ୫ଶହ ମିଟର, ରେଳ ଷ୍ଟେଶନଠାରୁ ୨.୬କିମି ଏବଂ ବସ୍‌ ଟର୍ମିନାଲଠାରୁ ଶୂନ୍‌କିମି ଦୂରରେ ରହିଥିଲା। ତେବେ ସେଠାରେ ଜବରଦଖଲ ସମସ୍ୟା ରହିଥିଲା। ସେଠାରୁ ଜବରଦଖଲ ଉଚ୍ଛେଦ କଲେ କାଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଇଥିଲା। ଏହାପରେ ଲକିପାଲି ମୌଜାର ପ୍ଳଟ୍‌ ନମ୍ବର ୩୦୦୨ରେ ଥିବା ପୃଥ୍ବୀରାଜ ଗୋଶାଳା ଜମିରେ ସିଭିଲ କୋର୍ଟର ନୂଆ କୋଠା ତିଆରି ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ଜମିରେ ଶହେବର୍ଷ ପୂର୍ବରୁ ପ୍ରତିଷ୍ଠିତ ଐତିହାସିକ ପୃଥ୍ବୀରାଜ ଗୋଶାଳା ଥିବାରୁ ଗୋଶାଳା ସମ୍ପାଦକ ପ୍ରସ୍ତାବିତ ସିଭିଲ କୋର୍ଟ କୋଠା ତିଆରିକୁ ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଗୋଶାଳା ପକ୍ଷରୁ ଦାଖଲ ହୋଇଥିବା ରିଟ୍‌ ପିଟିସନ୍‌କୁ ବିଚାର କରି ହାଇକୋର୍ଟ ଗୋଶାଳା ଜମି ପରିବର୍ତ୍ତେ ସିଭିଲ କୋର୍ଟ ପ୍ରତିଷ୍ଠା ପାଇଁ ନୂଆ ଜମି ଚିହ୍ନଟ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ପୃଥ୍ବୀରାଜ ଗୋଶାଳା କର୍ତ୍ତୃପକ୍ଷଙ୍କ ପାଖରୁ ମିଳିଥିବା ସୂଚନା ମୁତାବକ ଗୋଶାଳା ଜମିରେ କୋର୍ଟ କୋଠା ତିଆରିକୁ ବିରୋଧ କରି ହାଇକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଥିଲା। ଏହା ଉପରେ ହାଇକୋର୍ଟ ହସ୍ତକ୍ଷେପ କରିବା ସହ ଗୋଶାଳା ଜମି ପରିବର୍ତ୍ତେ ଅନ୍ୟତ୍ର ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ବଲାଙ୍ଗୀର ଜେଲ ଜମିରେ ନୂଆ କୋର୍ଟ କୋଠା ତିଆରି ପାଇଁ ପ୍ରସ୍ତାବ ରହିଥିବା ଜଣାପଡିଛି। ଏନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ବଲାଙ୍ଗୀର ସହରରେ ନୂଆ କୋର୍ଟ କୋଠା ଏବଂ ନୂଆ ଜିଲାପାଳ କାର୍ଯ୍ୟାଳୟ ତିଆରି ପାଇଁ ଉପଯୁକ୍ତ ଜମି ଚିହ୍ନଟ ହେଉ ନ ଥିବାରୁ ନୂଆ ସିଭିଲ କୋର୍ଟ ଏବଂ ନୂଆ ଜିଲାପାଳ କାର୍ଯ୍ୟାଳୟ ତିଆରି ହୋଇପାରୁନାହିଁ। ଏହି ପ୍ରସଙ୍ଗରେ ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।