ମାଲିକଙ୍କ ଅଜାଣତରେ ଜମି ବିକ୍ରି ଉଦ୍ୟମ

ସମ୍ବଲପୁର,୨୪ା୮(ଶୁଭାଶିଷ ପାଢ଼ୀ)ସମ୍ବଲପୁର ଜିଲା ବୁର୍ଲା ଥାନା ଅଞ୍ଚଳରେ ମାଲିକ ଅଜାଣତରେ ହେଉଥିଲା ଜମି ବିକ୍ରି। ଦଲାଲମାନେ ନକଲି ଦସ୍ତାବିଜ ତିଆରି କରି ଜମି କିଣାବିକା କରୁଥିଲେ। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ବୁର୍ଲା ଥାନା ମାଝିପାଲି ଗ୍ରାମର ଚନ୍ଦ୍ରଶେଖର ବିଶ୍ୱାଳ (୩୦) ଓ କ୍ଷେତରାଜପୁର ଥାନା ନୂଆପଡ଼ାର ଟେଙ୍ଗୁନୁ ହରିପାଲ (୩୫)। ଅଭିଯୁକ୍ତଙ୍କ ନିକଟରୁ ବୁର୍ଲା ସହର ମ୍ୟାପ୍‌, ନକଲି ଚୁକ୍ତିନାମା, ଆଧାର କାର୍ଡ ଭଳି କାଗଜପତ୍ର ସହ ୬ ଲକ୍ଷ ୪୦ ହଜାର ଟଙ୍କା ଜବତ କରାଯାଇଛି। ଏଥିରେ ଏକ ର଼୍ୟାକେଟ କାମ କରୁଥିବାରୁ ଆଗକୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ବୁଧବାର ଏସ୍‌ପି ଅଫିସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ମୁକେଶ କୁମାର ଭାମୁ କହିଛନ୍ତି। ସୂଚନା ଅନୁସାରେ, ଅନୁଗୋଳ ଜିଲା ଖମାର ଗ୍ରାମର ସୂର୍ଯ୍ୟକାନ୍ତ ନାଏକ ବୁର୍ଲା ମୌଜାରେ ୧ ଏକର ୬୫ ଡେସିମିଲ ଜମି ଅଭିଯୁକ୍ତଙ୍କ ଜରିଆରେ କିଣିଥିଲେ। ଏଥିପାଇଁ ସେ ୨ ଲକ୍ଷ ନଗଦ ଓ ୨୮ ଲକ୍ଷ ଟଙ୍କା ଚେକ୍‌ ଆକାରରେ ଦେଇଥିଲେ। ଏହି ଜମି ମୋଟ ୨ କୋଟି ୧୮ ଲକ୍ଷ ୫୯ ହଜାର ଟଙ୍କାରେ ବିକ୍ରି ପାଇଁ ଚୂଡାନ୍ତ ହୋଇଥିଲା। ଗତ ଫେବୃୟାରୀ ମାସରେ ଅଭିଯୁକ୍ତମାନେ ଅଗ୍ରିମ ଟଙ୍କା ନେଇଥିଲେ ମଧ୍ୟ ଜମି ଦେଉ ନ ଥିଲେ। ଜମି ସମତଳ କରିବା ସମୟରେ ପ୍ରକୃତ ମାଲିକ ପୁରନ୍ଦର ରଣା, ନର ରଣା, ହିରନ୍ମୟ ରଣା, ହରିହର ରଣା ବିରୋଧ କରିଥିଲେ। ଏହି ସମୟରେ ସୂର୍ଯ୍ୟକାନ୍ତ ଠକେଇର ଶିକାର ହୋଇଥିବା ଜାଣିଥିଲେ। ପରେ ସେ ଗତ ୨୧ ତାରିଖରେ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବୁର୍ଲା ଏସ୍‌ଡିପିଓ ସତ୍ୟବ୍ରତ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା। ସବୁ ରେକର୍ଡପତ୍ର ଯାଞ୍ଚ କରିବା ପରେ ପୋଲିସ ଟିମ୍‌ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ବ୍ୟାଙ୍କ ଜମା ଖାତା ଫ୍ରିଜ୍‌ କରାଯାଇଛି। ଅଗ୍ରିମ ନେଇଥିବା ୩୦ ଲକ୍ଷରୁ ୮ ଲକ୍ଷ ବାକି ରହିଥିଲା, ଯାହାକୁ ପୋଲିସ ଜବତ କରିଛି।

Share