Categories: ଜାତୀୟ

ଚନ୍ଦ୍ରର ତାପମାତ୍ରା ପ୍ରୋଫାଇଲ ପଠାଇଲା ଲ୍ୟାଣ୍ଡର

ବେଙ୍ଗାଲୁରୁ,୨୮ା୮: ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମରେ ଥିବା ସର୍ଫେସ୍‌ ଥମୋଫିଜିକାଲ ଏକ୍ସପେରିମେଣ୍ଟ ପ୍ଲେଲୋଡ୍‌ (ଚାଷ୍ଟେ) ଚନ୍ଦ୍ର ଦକ୍ଷିଣ ମେରୁ ଚତୁଃପାର୍ଶ୍ୱରେ ଥିବା ଉପର ମୃତ୍ତିକାର ତାପମାତ୍ରା ପ୍ରୋଫାଇଲ ପଠାଇଛି। ଚନ୍ଦ୍ରପୃଷ୍ଠର ତାପମାତ୍ରା ସମ୍ପର୍କରେ ଜାଣିବାରେ ଏହା ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ ରବିବାର କୁହାଯାଇଛି। ଇସ୍ରୋ ଉକ୍ତ ତାପମାତ୍ରା ପ୍ରୋଫାଇଲ ଗ୍ରାଫ୍‌କୁ ଶେୟାର କରିଛି। ଚନ୍ଦ୍ରପୃଷ୍ଠ ଏବଂ ପାର୍ଶ୍ୱ ନିକଟବର୍ତ୍ତୀ ବିଭିନ୍ନ ଗଭୀରତାରେ ତାପମାତ୍ରାରେ ରହିଥିବା ଭିନ୍ନତା ଉକ୍ତ ଗ୍ରାଫ୍‌ରେ ପ୍ରଦର୍ଶିତ ହୋଇଛି। ଚନ୍ଦ୍ର ଦକ୍ଷିଣ ମେରୁରୁ ଏହା ପ୍ରଥମ ପ୍ରୋଫାଇଲ। ଏହା ଉପରେ ସବିଶେଷ ଅନୁଧ୍ୟାନ ଜାରି ରହିଛି। ଗଭୀରତା ଅନୁଯାୟୀ ତାପମାତ୍ରା ବିଯୁକ୍ତ ୧୦ ଡିଗ୍ରୀରୁ ୬୦ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ରହିଥିବା ଗ୍ରାଫ୍‌ରୁ ଜଣାପଡୁଛି ବୋଲି ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି। ଚାଷ୍ଟେ ପ୍ଲେଲୋଡ୍‌ରେ ତାପମାତ୍ରା ଅନୁଧ୍ୟାନ ଉପକରଣ ଏବଂ ନିୟନ୍ତ୍ରିତ ପ୍ରବେଶ ଯନ୍ତ୍ର ରହିଛି, ଯାହା ପୃଷ୍ଠଠାରୁ ୧୦ ସେଣ୍ଟିମିଟର ତଳକୁ ଯାଇପାରିବ। ସେଥିରେ ୧୦ଟି ଅଲଗା ଅଲଗା ତାପମାତ୍ରା ସେନ୍‌ସର ଫିଟିଂ ହୋଇଛି।

ଲ୍ୟାଣ୍ଡିଂ ସ୍ଥାନର ନାଁ ‘ଶିବଶକ୍ତି’ ରଖିବାରେ କିଛି ଭୁଲ୍‌ ନାହିଁ: ଇସ୍ରୋ ମୁଖ୍ୟ

ଚନ୍ଦ୍ରୟାନ-୩ ଲ୍ୟାଣ୍ଡରର ଅବତରଣ ସ୍ଥାନ ନାଁ ‘ଶିବଶକ୍ତି’କୁ ନେଇ କୌଣସି ବିବାଦ ନାହିଁ ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଧ୍ୟକ୍ଷ ଏସ୍‌. ସୋମନାଥ ରବିବାର କହିଛନ୍ତି। ନାଁ ଶିବଶକ୍ତି ରଖିବାରେ କିଛି ଭୁଲ୍‌ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇସ୍ରୋ କାର୍ଯ୍ୟାଳୟକୁ ଯାଇ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ସ୍ଥାନର ନାଁ ଶିବଶକ୍ତି ରଖିଥିଲେ। ସେହିପରି ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ଖସିଥିବା ସ୍ଥାନକୁ ପ୍ରଧାନମନ୍ତ୍ରୀ ‘ତ୍ରିରଙ୍ଗା’ ନାମିତ କରିଥିଲେ। ଉଭୟ ଭାରତୀୟ ନାମ। ଦେଶର ପ୍ରଧାନମନ୍ତ୍ରୀ ଭାବେ ନାମକରଣ କରିବାର ପୂରା ଅଧିକାର ମୋଦିଙ୍କର ରହିଥିବା ସୋମନାଥ କହିଛନ୍ତି। କେରଳର ଥିରୁଭାନନ୍ତପୁରମ୍‌ସ୍ଥିତ ପୌର୍ଣ୍ଣମିକାଭୁ-ଭଦ୍ରକାଳୀ ମନ୍ଦିରରେ ପୂଜା କରିବା ଅବସରରେ ସୋମନାଥ କହିଛନ୍ତି, ବିଜ୍ଞାନ ଓ ବିଶ୍ୱାସ ଦୁଇଟି ଭିନ୍ନ ଘଟଣା। ଏହାକୁ ଏକାଠି କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ସ୍ଥାନର ନାମକରଣକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା।

 

Share