Categories: ଜାତୀୟ

ଇଞ୍ଜିନ, ସେନ୍ସର କାମ ନ କଲେ ବି ଲ୍ୟାଣ୍ଡର ସଫଳ ଅବତରଣ କରିବ: ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୯ା୮: ଚନ୍ଦ୍ରୟାନ-୩ର ୨ଟି ଯାକ ଇଞ୍ଜିନ୍‌ କିମ୍ବା ସମସ୍ତ ସେନ୍ସର ଯଦି କାମ ନ କରେ, ତଥାପି ଲ୍ୟାଣ୍ଡର ବିକ୍ରମକୁ ସଫଳତାର ସହ ସଫ୍ଟଲ୍ୟାଣ୍ଡିଂ କରାଇବା ଲାଗି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଯୋଜନା ପ୍ରସ୍ତୁତ କରିଥିବା ଏହାର ଅଧ୍ୟକ୍ଷ ଏସ୍‌. ସୋମନାଥ କହିଛନ୍ତି। ସେଥିପାଇଁ ବିକ୍ରମକୁ ଆବଶ୍ୟକ ଡିଜାଇନ କରାଯାଇଛି। ଯାହା ଦ୍ୱାରା ବିକ୍ରମ ଇଞ୍ଜିନ ଓ ସେନ୍ସର ଅକାମୀଜନିତ ସମସ୍ୟାରୁ ମୁକୁଳିବାରେ ସମର୍ଥ ହୋଇପାରିବ। ଦିଶା ଭାରତ ନାମକ ଏନ୍‌ଜିଓ ପକ୍ଷରୁ ଆୟୋଜିତ ‘ଚନ୍ଦ୍ରୟାନ-୩: ଭାରତର ଗର୍ବ ମହାକାଶ ମିଶନ’ ଉପରେ ଆଲୋଚନାରେ ଭାଗନେଇ ସୋମନାଥ ଏହା କହିଛନ୍ତି। ଅଗଷ୍ଟ ୨୩ରେ ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କରାଇବାର ଯୋଜନା ହୋଇଛି। ଚନ୍ଦ୍ରୟାନ ଚନ୍ଦ୍ରକକ୍ଷରେ ପ୍ରବେଶ କରିବା ପରେ ଗତ ୫ ତାରିଖରେ ପ୍ରଥମ ଘୂର୍ଣ୍ଣନ ପଥ ହ୍ରାସ କରାଯାଇଥିଲା। ଏହା ପରେ ୯, ୧୪ ଏବଂ ୧୬ ତାରିଖରେ କକ୍ଷପଥକୁ ଧୀରେ ଧୀରେ କମାଯାଇ ଚନ୍ଦ୍ରଠାରୁ ଚନ୍ଦ୍ରୟାନର ଦୂରତା ୧୦୦ କିଲୋମିଟର ରଖାଯିବ। ପରେ ପ୍ରପଲଶନ ମଡ୍ୟୁଲରୁ ଲ୍ୟାଣ୍ଡରକୁ ଅଲଗା କରାଯାଇ ଏହାକୁ ଧୀରେ ଧୀରେ ଖସାଯିବ। ସେହି ସମୟ ଇସ୍ରୋ ଟିମ୍‌ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ। କାରଣ ବର୍ତ୍ତମାନ ମହାକାଶ ଯାନର ଗତି ଚନ୍ଦ୍ରପୃଷ୍ଠ ସହ ସମାନ୍ତରାଳ ରହିଥିଲାବେଳେ ଏହାକୁ ସିଧାସଳଖ ଚନ୍ଦ୍ରପୃଷ୍ଠକୁ ଖସାଇବାକୁ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି।

Share