Categories: ଜାତୀୟ

୩ ଥର ଲ୍ୟାଣ୍ଡିଂ ଫେଲ୍‌: ମଝି ଆକାଶରେ ଭୟରେ କାନ୍ଦିଲେ ଯାତ୍ରୀ

ଜୈସଲମେର,୨୧।୩: ଅହମଦାବାଦାରୁ ଜୈସଲମେର ଆସିଥିବା ସ୍ପାଇସ୍‌ ଜେଟ୍‌ର ଏସ୍‌ଜି-୩୦୧୨ ବିମାନରେ ଲ୍ୟାଣ୍ଡିଂ ନ କରିପାରି ଦୀର୍ଘ ଘଣ୍ଟାଏ କାଳ ଆକାଶରେ ଘୂରି ବୁଲିିଛି। ଶନିବାର ମଧ୍ୟାହ୍ନରେ ଅହମଦାବାଦରୁ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିଥିବା ବିମାନ ପ୍ରାୟ ଏକ ଘଣ୍ଟା ପରେ ଜୈସଲମେରରେ ପହଞ୍ଚିଥିଲା। ତେବେ ଏହାକୁ ଲ୍ୟାଣ୍ଡିଂ କରିବାରେ ପାଇଲଟ୍‌ ଅସମର୍ଥ ହୋଇଥିଲେ। ଏହାପରେ ଅନ୍ୟ ୨ ଦିଗରୁ ଲ୍ୟାଣ୍ଡିଂ କରିବାର ଉଦ୍ୟମ ମଧ୍ୟ ବିଫଳ ହୋଇଥିଲା। ଯାନ୍ତ୍ରିକ କାରଣ ଯୋଗୁ ପାଇଲଟ୍‌ ୩ ଥର ଲ୍ୟାଣ୍ଡିଂ କରିବା ପ୍ରୟାସ କରି ମଧ୍ୟ ଅସଫଳ ହୋଇଥିଲେ। ପାଇଲଟ୍‌ ବିମାନ ଲ୍ୟାଣ୍ଡିଂ କରି ହେଉ ନ ଥିବା ଜାଣିପାରି ଯାତ୍ରୀମାନେ ମଝିଆକାଶରେ ଭୟରେ କାନ୍ଦିବାକୁ ଆରମ୍ଭ କରିଥିଲେ। ଶେଷରେ ପାଇଲଟ୍‌ ବିମାନକୁ ଅହମଦାବାଦ ଫେରାଇ ନେଇ ସେଠାରେ ଅପରାହ୍ନ ୨ଟା ୪୦ରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଇଥିଲେ। ପରେ ପ୍ରାୟ ୨ ଘଣ୍ଟା ପରେ ଅନ୍ୟ ଜଣେ ପାଇଲଟ୍‌ଙ୍କ ଦ୍ୱାରା ବିମାନଟି ଜୈସଲମେର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ବିମାନଟି ଅପରାହ୍ନ ୫ଟା ୧୫ରେ ଜୈସଲମେରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସ୍ପାଇସ୍‌ ଜେଟ୍‌ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ହୋଇଥିବା ଜୈସଲମେର ବିମାନ ବନ୍ଦର ନିର୍ଦ୍ଦେଶକ ବି.ଏସ୍‌. ମିଣା କହିଛନ୍ତି।

Share