ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି। କମ୍ବିଂ ବେଳେ ଏହାକୁ ନିଷ୍କ୍ରିୟ କରିଛନ୍ତି ଯବାନ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ମାଓବାଦୀମାନେ ଏପରି ଯୋଜନା କରିଥିଲେ। ଯବାନମାନେ ଘଟଣାସ୍ଥଳରୁ ଡିଟୋନେଟର୍‌, ବିଦ୍ୟୁତ୍‌ତାର ସହ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି।

ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ଲ୍ୟାଣ୍ଡ୍‌ମାଇନକୁ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରାଯାଇଥିଲା। ଏହି ଅଞ୍ଚଳ ଏକ ଦଶନ୍ଧି ଧରି ମାଓବାଦୀ ଗଡ଼ ଭାବେ ରହିଆସିଛି। ଯେଉଁଠାରେ ମାଓବାଦୀ କ୍ୟାଡରମାନେ ଏହି ଅଞ୍ଚଳକୁ ଆଶ୍ରୟ ଏବଂ ରକ୍ଷଣାବେକ୍ଷଣ ପାଇଁ ବ୍ୟବହାର କରିଥାନ୍ତି। ଏଠାରେ ମାଓବାଦୀମାନେ ବୋମା ତିଆରି ସାମଗ୍ରୀ ସଂରକ୍ଷଣ କରିଛନ୍ତି ଏବଂ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ସୁରକ୍ଷା ବାହିନୀ (ପୋଲିସ) ଏବଂ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ କରିବା ପାଇଁ ପୃଥକ୍‌ ସ୍ଥାନରେ ଅସ୍ତ୍ର ଲୁଚାଇ ରଖିଛନ୍ତି।
ବିଏସଏଫ ସକ୍ରିୟ ଭାବରେ ମାଲକାନଗିରି ଜିଲାରେ ଅପରେଶନ କରୁଛନ୍ତି। ବୋମା ମିଳିବା ପରେ ଏହି ଅଞ୍ଚଳରେ କମ୍ବିଂ ଅପରେଶନକୁ ଜୋର୍‌ଦାର କରାଯାଇଛି।

Share