ଦାରିଙ୍ଗବାଡ଼ି,୮ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମ ନିକଟରେ ହୋଇଥିବା ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଛନ୍ତି କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ। ତାଙ୍କ ସହ ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଅଶୋକ ଦାସ ଏବଂ ଜିଲାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସେ ତାମାଙ୍ଗି ବିଦ୍ୟାଳୟରେ ରହିଥିବା କୁମ୍ଭାରିପଦର ଗ୍ରାମର ୪୦୦ଲୋକଙ୍କୁ ଭେଟିବା ସହ ସେମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟ ଓ ସ୍ବାସ୍ଥ୍ୟସେବା ଆଦି ପଚାରି ବୁଝିଥିଲେ। ଏଥିସହ ଭୂସ୍ଖଳନ ହୋଇଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।
ସୂଚନାଯୋଗ୍ୟ, ଗତ ମାସରେ ହୋଇଥିବା ଲଘୁଚାପ ବର୍ଷାରେ ଗାଁ ପାଖ ପାହାଡ଼ରେ ବଡ଼ ବଡ଼ ଫାଟ ସୃଷ୍ଟି ହେବା ସହ ମାଟି ଅତଡ଼ା ଖସିଥିଲା। ପାହାଡ଼ ତଳେ ଗାଁ ରହିଥିବା ଯୋଗୁ ଲୋକଙ୍କ ପାଇଁ ବିପଦ ରହିଥିଲା। ଏଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ତାମାଙ୍ଗି ବିଦ୍ୟାଳୟରେ ଅସ୍ଥାୟୀ ଭାବେ ଆଶ୍ରୟ ଦେଇଛନ୍ତି।