ଗାଜଲବାଡ଼ି ଘାଟିରେ ଭୂ-ସ୍ଖଳନ

ଦାରିଙ୍ଗବାଡ଼ି,୨୧ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରେ ତିନୋଟି ଅର୍ଥାତ ୩ ନଂ ଘାଟି ବୁଲାଣି ରାସ୍ତା ସମେତ ୪ ନଂ ଏବଂ ୫ ନଂ ବୁଲାଣି ରାସ୍ତାରେ ଭୂ-ସ୍ଖଳନ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ଦାରିଙ୍ଗବାଡ଼ି ବ୍ୟବସାୟ ହେଉକି ବ୍ରହ୍ମପୁର ବଡ଼ ମେଡିକାଲକୁ ରୋଗୀ ନେବା ବନ୍ଦ ହୋଇଯାଇଛି। ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି, ଗଞ୍ଜାମ ଜିଲା ସୋରଡ଼ା ଦେଇ ଗାଡ଼ିମୋଟର ବନ୍ଦ ରହିଛି। ଦାରିଙ୍ଗବାଡ଼ି ଏବଂ ସୋରଡ଼ା ପୋଲିସ ପକ୍ଷରୁ ଉକ୍ତ ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାକୁ ଦୁଇପଟୁ ବ୍ଲକିଂ କରାଯାଇଛି। ଏକମାତ୍ର ସୋରଡ଼ାକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ଯୋଗୁ ଲୋକେ ହଇରାଣ ଭୋଗୁଛନ୍ତି। ଏହି ରାସ୍ତା ଦେଇ ଦାରିଙ୍ଗବାଡ଼ିକୁ ଦୈନିକ ଏକାଧିକ ବସ ଚଳାଚଳ କରୁଥିବା ବେଳେ ଭୂ-ସ୍ଖଳନ ପାଇଁ ଏବେ ଚିନ୍ତା ପଡ଼ିଛି। ବିଶେଷକରି ଦୈନିକ ରାଶନ ସାମଗ୍ରୀ ପାଇଁ ବ୍ରହ୍ମପୁର ଉପରେ ନିର୍ଭର କରାଯାଉଥିବା ବେଳେ ପନିପରିବା ପାଇଁ ଏବେ ଆସିକା, ସୋରଡ଼ା ଏବଂ କାଟୁ ଉପରେ ଦାରିଙ୍ଗବାଡ଼ି ଅଞ୍ଚଳ ନିର୍ଭର କରୁଥିଲା ଯାହାକି ବଡ଼ ସମସ୍ୟା ଦେଖାଦେଇଛି। ସେହିପରି ଦାରିଙ୍ଗବାଡ଼ିରୁ ଗୁରୁତର ରୋଗୀଙ୍କୁ ବ୍ରହ୍ମପୁର ନିଆଯିବା ମୁସ୍କିଲ ହେବ। ଦାରିଙ୍ଗବାଡ଼ି ପଟୁ ପୋଲିସ ବ୍ଲକିଂ କରିବା ସହ ଲୋକଙ୍କୁ ସେହିରାସ୍ତାରେ ଛଡ଼ା ଯାଉ ନ ଥିବା ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି କହିଛନ୍ତି ଏଥିସହ ଲୋକଙ୍କ ସୁରକ୍ଷା ପାଇଁ ସୋରଡ଼ା ଆଇଆଇସିଙ୍କ ସହ ସେ ଯୋଗାଯୋଗରେ ରହିଥିବା କହିଛନ୍ତି।