Categories: ଜାତୀୟ

ହିମାଚଳରେ ଭୂସ୍ଖଳନ: ଫସିଛନ୍ତି ୨୦୦ ପର୍ଯ୍ୟଟକ ୧୫ କିଲୋମିଟର ଯାଏ ଟ୍ରାଫିକ୍‌ ଜାମ୍‌

ନୂଆଦିଲ୍ଲୀ, ୨୬ା୬: ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଓ ଅନେକ ଭୂସ୍ଖଳନ ଯୋଗୁ ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଅନୂ୍ୟନ ୧୫ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ ଜାମ୍‌ ହୋଇଥିବାବେଳେ ପ୍ରାୟ ୨୦୦ ପର୍ଯ୍ୟଟକ ଫସିରହିଛନ୍ତି। ପାଖରେ କୌଣସି ହୋଟେଲ ରୁମ୍‌ ନ ଥିବାବେଳେ ପ୍ରତିକୂଳ ପାଗ ମଧ୍ୟରେ ସେମାନଙ୍କୁ କେତେ ସମୟ ରାସ୍ତାରେ ଅଟକି ରହିବାକୁ ପଡ଼ିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ଉକ୍ତ ପାର୍ବତ୍ୟାଞ୍ଚଳ ରାଜ୍ୟରେ ବର୍ଷା ଲାଗିରହିବା ସହ ଭୂସ୍ଖଳନ ଯୋଗୁ ରବିବାର ସନ୍ଧ୍ୟାରୁ ରାଜପଥ ଅବରୋଧ ହୋଇ ରହିଛି। ରାସ୍ତା ଅବରୋଧ କରିଥିବା ବଡ଼ ଶିଳାଖଣ୍ଡଗୁଡ଼ିକୁ ଭାଙ୍ଗିବା ପାଇଁ ବିସ୍ଫୋରକ ବ୍ୟବହାର କରାଯାଉଛି। ୭/୮ ଘଣ୍ଟା ପରେ ରାସ୍ତା ଅବରୋଧମୁକ୍ତ ହୋଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି। ପର୍ଯ୍ୟଟକମାନେ ପିଲାଛୁଆ ଓ ପରିବାର ସହ ଆସିଥିବାରୁ ସେମାନେ ହୋଟେଲ ରୁମ୍‌ ନ ପାଇ ବହୁ ଅସୁବିଧାରେ ପଡ଼ିଛନ୍ତି। ସେମାନେ ପିଲାମାନଙ୍କ ପାଇଁ ବେଶୀ ଚିନ୍ତିତ ହୋଇପଡ଼ିଛନ୍ତି। ସେଠାରୁ ବାହାରିବାକୁ ଅନ୍ୟ କୌଣସି ବିକଳ୍ପ ରାସ୍ତା ନ ଥିବା ଜଣେ ପର୍ଯ୍ୟଟକ କହିଛନ୍ତି। କେବେ ରାସ୍ତା ଖୋଲିବ ଏବଂ ପର୍ଯ୍ୟଟକମାନେ ଆଗକୁ ଯିବେ କି ପଛକୁ ଫେରିଯିବେ ତାହା ଠିକ୍‌ କରିପାରୁ ନାହାନ୍ତି।
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାରୁ ଦକ୍ଷିଣପଶ୍ଚିମ ମୌସୁମୀ ଏବେ ଦ୍ରୁତଗତିରେ ଦେଶର ବିଭିନ୍ନ ପ୍ରାନ୍ତରେ ପହଞ୍ଚତ୍ଛି। ଏହାର ପ୍ରଭାବରେ ଉତ୍ତର ଭାରତ ସମେତ ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗିରହିଛି। ଦେଶର ୮୦ ପ୍ରତିଶତ ଅଞ୍ଚଳରେ ମୌସୁମୀ ପହଞ୍ଚତ୍ ସାରିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Share