ନୂଆଦିଲ୍ଲୀ,୪ା୮: ଉତ୍ତରାଖଣ୍ଡରେ ଗୁରୁବାର ରାତିରୁ ପ୍ରବଳ ବର୍ଷା ଲାଗିରହିଥିବାବେଳେ କେଦାରନାଥ ଯାତ୍ରା ମାର୍ଗରେ ଭୂସ୍ଖଳନ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୬ ଜଣ ନିଖୋଜ ହୋଇଯାଇଛନ୍ତି। ଗୌରୀକୁଣ୍ଡ ନିକଟରେ କେତେକ ଦୋକାନ ବନ୍ୟାଜଳରେ ଭାସିଯାଇଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍ଡିଆର୍ଏଫ୍) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍ଡିଆର୍ଏଫ୍) ପକ୍ଷରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ଲଗାଣ ବର୍ଷା ସାଙ୍ଗକୁ ପାହାଡ଼ରୁ ପଥର ଖସୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ନିଖୋଜଙ୍କ ମଧ୍ୟରୁ ଅଧିକାଂଶ ନେପାଳ ନାଗରିକ ବୋଲି କୁହାଯାଉଛି। ଆଗକୁ ବର୍ଷା ଲାଗିରହିବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିବା ପରେ କେଦାରନାଥ ଯାତ୍ରା ବନ୍ଦ ରଖାଯିବା ସହ ସେଠାରୁ ଲୋକମାନଙ୍କୁ ଅନ୍ୟତ୍ର ନିଆଯାଇଛି।