Categories: ଜାତୀୟ

ହିମାଚଳ ପ୍ରଦେଶରେ ଭୁସ୍ଖଳନ: ୯ ଜୀବନ ଗଲା, ୩ ଆହତ

ଶିମ୍‌ଲା,୨୫।୭: ହିମାଚଳ ପ୍ରଦେଶର କିନୌର ଜିଲାରେ ରବିବାର ଏକ ବଡ ଦୁର୍ଘଟଣା ହୋଇଛି। ଏକ ଭୂସ୍ଖଳନରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କିନୌର ଜିଲାର ବାଟସେରୀର ଗୁନସା ନିକଟରେ ଭୁସ୍ଖଳନ ହେବାରୁ ଚିତ୍ରକୁଲରୁ ସାଙ୍ଗଲାକୁ ଆସୁଥିବା ପର୍ଯ୍ୟଟକଙ୍କ ଏକ ଗାଡି ଓଲଟି ପଡିଥିଲା। ଗାଡି ଉପରେ ପଥର ଖସିଯିବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। କୁହାଯାଉଛି ଯେ, କାରରେ ଥିବା ପର୍ଯ୍ୟଟକମାନେ ଦିଲ୍ଲୀ ଏବଂ ଚଣ୍ଡିଗଡ଼ରୁ ହିମାଚଳ ପରିଦର୍ଶନ କରିବାକୁ ଆସିଥିଲେ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଂଗ୍ରେସ ବିଧାୟକ ଜଗତ ସିଂ ନେଗି କହିଛନ୍ତି ଯେ ପାହାଡରୁ ଲଗାତାର ପଥର ଖସି ପଡୁଛି, ଫଳରେ ଉଦ୍ଧାର କାର୍ଯ୍ୟରେ ସମସ୍ୟା ରହିଛି। ସେ କହିଛନ୍ତି ଯେ, ଆହତମାନଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ ସରକାରଙ୍କ ତରଫରୁ ହେଲିକପ୍ଟର ମଗାଯାଇଛି, ଯାହା ଶୀଘ୍ର ପହଞ୍ଚିବ।

Share